ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶାର ଅନ୍ୟତମ ବରପୁତ୍ର ମହାନ ନାଟ୍ୟକାର ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ନାଟ୍ୟରଥି ଗୋବିନ୍ଦ ଶୂରଦେଓଙ୍କ ୧୩୯ତମ ଜନ୍ମ ଜୟନ୍ତୀ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ମୈତ୍ରୀ ଯୁବ ସଂସଦ ମିଳିତ ଆନୁକୁଲ୍ୟରେ ନୟାଗଡ଼ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ସମାଜସେବୀ ଲକ୍ଷ୍ମୀଧର ମହାପାତ୍ର ପୌରହିତ୍ୟ କରିଥିବା ବେଳେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ଅଧ୍ୟାପକ ଅଶୋକ ନାୟକ ମୁଖ୍ୟ ଅତିଥି ଏବଂ ଅବସରପ୍ରାପ୍ତ ଅଧ୍ୟାପକ ଡ.ଗୋବିନ୍ଦ ଚନ୍ଦ୍ର ଦାଶ ମୁଖ୍ୟବକ୍ତାଭାବେ ଯୋଗଦାନ କରିଥିଲେ । ସମ୍ମାନୀତ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ପଟ୍ଟନାୟକ, ପରମ୍ପରା ସମ୍ପାଦକ ତଥା ସାହିତ୍ୟିକ ନିର୍ମଳ ଶୂରଦେଓ, ସଦାନନ୍ଦ ସାହିତ୍ୟ ପରିଷଦ ସମ୍ପାଦକ ପ୍ରଶାନ୍ତ ଦାଶ, କବି ଅଶୋକ ମଲ୍ଲ ଏବଂ ଯୁବ ମୈତ୍ରୀ ସଂସଦ ସଂପାଦକ ପ୍ରଦୀପ କୁମାର ସାହୁପ୍ରମୁଖ ଯୋଗଦାନ କରିଥିଲେ । ସ୍ୱର୍ଗତ ଗୋବିନ୍ଦ ଶୂରଦେଓ ନାଟକ ରଚନା ସହିତ ଚିତ୍ରସଜ୍ଜା,ମଞ୍ଚସଜ୍ଜା,ନାଟ୍ୟ ନିର୍ଦ୍ଦେଶନା, ଗୀତିକାର, ସଙ୍ଗୀତ ସଂଯୋଜନା, କଣ୍ଠଦାନ, ଅଭିନୟ ତଥା ଅଭିନେତା ମାନଙ୍କର ବେଶସଜ୍ଜା ଆଦି ନାଟକର ବିଭିନ୍ନ ବିଭାଗରେ ବିଚକ୍ଷଣ ଭାବେ ସଫଳ ହୋଇ ସୃଷ୍ଟି କରିଥିଲେ କିମ୍ବଦନ୍ତୀ । ସେହିପରି ରାସଲୀଳାକୁ ଅତ୍ୟାଧୁନିକ ନାଟ୍ୟରୂପ ଦେବାରେ ନାଟ୍ୟରଥି ଗୋବିନ୍ଦ ଶୂରଦେଓ ହିଁ ଓଡ଼ିଶାରେ ପ୍ରଥମ ଥିଲେ । ଏହିପରି ଜଣେ ବହୁମୂଖୀ ପ୍ରତିଭା ଯେ କେବଳ ନାଟ୍ୟଜଗତରେ ପ୍ରସିଦ୍ଧି ଲାଭ କରିଥିଲେ ତା ନୁହେଁ ଓଡ଼ିଶାର ଜାତୀୟ ଆନ୍ଦୋଳନରେ ଭାଗ ନେଇ ରଚନା କରିଥଲେ ଅନେକ ଦେଶାତ୍ମବୋଧ ସଙ୍ଗୀତ । ଏପରିକି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ସ୍ୱର୍ଗତ ଶୂରଦେଓଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୁର୍ଣ୍ଣ ଥିଲା ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କବିତା ପାଠ କାର୍ଯ୍ୟକ୍ରମରେ ଅଧ୍ୟାପିକା ନିଳୀମା ନନ୍ଦ, ହରପ୍ରିୟା ଦ୍ୱିବେଦୀ ଏବଂ ଗୋପୀନାଥ ସେଠ ସଂଯୋଜନା କରିଥିଲେ । ସେହିପରି ସ୍ୱର୍ଗତ ନାଟ୍ୟରଥିଙ୍କ ଜୟନ୍ତୀ ଉପଲକ୍ଷେ ନୟାଗଡ଼ ଜିଲ୍ଲା ଲେଖକ ପରିଷଦ, ମୈତ୍ରୀ ଯୁବ ସଂସଦ, ନାଟ୍ୟଧାରା ତଥା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ନିରଂଜନ ମିଶ୍ର, ବିଶ୍ୱନାଥ ମହାପାତ୍ର, ଲକ୍ଷ୍ମୀଧର ସାହୁ, ପ୍ରଦୀପ କୁମାର ସାହୁ, ଲକ୍ଷ୍ମୀଧର ମହାପାତ, ପ୍ରଶାନ୍ତ ପଟ୍ଟନାୟକ, ପରମାନନ୍ଦ ସ୍ୱାଇଁ, ଅଶୋକ ମଲ୍ଲ, କିଶୋର ସେନାପତି, ଉମାକାନ୍ତ ସେଠୀ ପ୍ରମୁଖ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଥିବା ନାଟ୍ୟରଥିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।
ନୟାଗଡ଼ ମାଟିର ଗର୍ବ ଓ ଗୌରବ ନାଟ୍ୟରଥି ଗୋବିନ୍ଦ ଶୂରଦେଓଙ୍କ ୧୩୯ତମ ଜନ୍ମ ଜୟନ୍ତୀ
