ନୟାଗଡ଼, (ନୟାଗଡ଼ ଦର୍ପଣ): କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳେଇ ଆଜି ନୟାଗଡ଼ ଗସ୍ତରେ ଆସିଥିଲେ। ୯ଘଟିକା ସମୟରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସୁବାସ ଚନ୍ଦ୍ର ରାୟଙ୍କ ସହ ମାଛିପଡ଼ା ସ୍ଥିତ ଶ୍ୟାମବନ୍ଧୁ ଉଚ୍ଚ ବିଦ୍ୟାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ଗସ୍ତ କରିଥିଲେ । ବିଦ୍ୟାଳୟର ରୂପାନ୍ତରୀଣ କାର୍ଯ୍ୟର ଅଗ୍ରଗତି ତଥା ସ୍ବଚ୍ଛତା ଦେଖି ଆୟୁକ୍ତ ଦଳେଇ ଖୁସି ବ୍ୟକ୍ତି କରିଥିଲେ। ଚିକିତ୍ସାଳୟର ବିଭିନ୍ନ ବିଭାଗ ପରିଦର୍ଶନ କରି ରୋଗୀମାନଙ୍କ ଭଲମନ୍ଦ ପଚାରି ବୁଝିବା ସହ ନିରାମୟ କେନ୍ଦ୍ର ବୁଲି ଦେଖିଥିଲେ ।

ଏହାପରେ ଦିବା ୧୧ଘଟିକା ସମୟରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲାର ସମସ୍ତ ତହସିଲର ବିଭିନ୍ନ ମାମଲାର ପୁଙ୍ଖାନୁପୁଙ୍ଖ ତଦାରଖ କରିଥିଲେ।ଉପଜିଲ୍ଲାପାଳ ସମସ୍ତ ତହସିଲ କାର୍ଯ୍ୟାଳୟର ସାପ୍ତାହିକି ସମୀକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ଥିବା ଜଳସେଚିତ ଓ ଅଣଜଳସେଚିତ ଜମିର ପରିମାଣ ନିର୍ଦ୍ଧାରଣ କରିବା ପାଇଁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ନୟାଗଡ଼ ଓ ଦଶପଲ୍ଲାରେ ଆରମ୍ଭ ହୋଇଥିବା
ବାଇପାସ୍ କାର୍ଯ୍ୟର ଅଗ୍ରଗତି ଉପରେ ପଚାରି ବୁଝିଥିଲେ । ଏହାପରେ ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ, ସମାଜ ମଙ୍ଗଳ କାର୍ଯ୍ୟାଳୟ, ସାମାଜିକ ସୁରକ୍ଷା, ଜିଲ୍ଲା ଖାଦ୍ୟ ଓ ଯୋଗାଣ, ଜିଲ୍ଲା ପଂଚାୟତ, ଜିଲ୍ଲା କ୍ରୀଡ଼ା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ, ବନ୍ଦୋବସ୍ତ ଆୟୁକ୍ତ, ଜିଲ୍ଲା ସଂଚୟ, ସବରେଜିଷ୍ଟାର, ଆଂଚଳିକ ପରିବହନ, ଅବକାରୀ ଓ ଜିଲ୍ଲା ପରିଷଦର ବିଭିନ୍ନ ବିଭାଗ ଉପରେ ସମୀକ୍ଷା କରିଥିଲେ ।

ଅପରାହ୍ନରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଗ୍ରାମ୍ୟ ଉନ୍ନୟନ, ରାସ୍ତା ଓ ଗୃହ ନିର୍ମାଣ, କ୍ଷୁଦ୍ର ଜଳସେଚନ, ଜଳସେଚନ, ଜନସ୍ବାସ୍ଥ୍ୟ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ, କୃଷି, ପ୍ରାଣୀ ସଂପଦ, ମତ୍ସ୍ୟ, ଉଦ୍ୟାନ ବିଭାଗ, ଜଳ ବିଭାଜିକା ଓ ବିଦ୍ୟୁତ୍ ବିଭାଗର ବିଭିନ୍ନ ଯୋଜନା ମାଧ୍ୟମରେ ଚାଲୁଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଧାନ ଚାଷ ସହିତ ମାଛ ଚାଷ, ଉଦ୍ୟାନ କୃଷି, କୁକୁଡ଼ା ଚାଷ, ଛେଳି ଓ ଘୁସୁରି ପାଳନ ପରି ଲାଭଜନକ ଚାଷ କଲେ ସୀମିତ ସମୟ ମଧ୍ୟରେ ଚାଷୀ ଅଧିକ ଉପକୃତ ହୋଇପାରିବ। ଏଥିପାଇଁ ସଂପୃକ୍ତ ବିଭାଗମାନେ ପରସ୍ପର ମଧ୍ୟରେ ସମନ୍ଵୟ ରକ୍ଷା କରି ଯୋଜନବଦ୍ଧ ଭାବେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ସମନ୍ବିତ ଚାଷ ପାଇଁ ଚାଷୀମାନଙ୍କୁ ପରାମର୍ଶ, ତାଲିମ, ଆର୍ଥିକ ସହାୟତା, ଉତ୍ପାଦର ବିକ୍ରି ପାଇଁ ବିସ୍ତୃତ ରୋଡ୍ ମ୍ୟାପ ପ୍ରସ୍ତୁତ କରି କାର୍ଯ୍ୟ କଲେ ଏ ଅଂଚଳର ଚାଷୀର ଆର୍ଥିକ ମାନଦଣ୍ଡରେ ଉନ୍ନତି ଆସିବା ସହ ଜିଲ୍ଲାର ମଧ୍ୟ ଆର୍ଥିକ ବିକାଶ ଘଟିବ । ଏହି ବୈଠକରେ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।