ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଦ୍ୱିତୀୟ ସଂଧ୍ୟା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଂସ୍କୃତି ପରିଷଦ ଓ ନୟାଗଡ଼ ପୁସ୍ତକ ମହୋତ୍ସବ କମିଟି ଆୟୋଜିତ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ବେଶ ଆଦୃତି ଲାଭ କରିଛି। ଦ୍ୱିତୀୟ ସଂଧ୍ୟାରେ ଅତିଥି ଭାବେ ବରିଷ୍ଠ କଥାକାର ଡ. ଅଜୟ ସ୍ଵାଇଁ, କଥାଶିଳ୍ପୀ ଡ. ଅରବିନ୍ଦ ରାୟ, ସାହିତ୍ୟ ଘର ସଂଯୋଜକ ଡ. ଶୁଭଶ୍ରୀ ଲେଙ୍କା, କବି ଓ ପ୍ରକାଶକ ବନୋଜ ତ୍ରିପାଠୀ ଯୋଗ ଦେଇଥିଲେ। ଫେସବୁକରେ କବିତା ଲେଖି ବହି ପ୍ରକାଶ କରିଦେଲେ କେହି କବି ହୋଇ ଯାଏନି। କବିକୁ ଈଶ୍ୱର ବୋଲି କୁହାଯାଏ ବୋଲି ପ୍ରକାଶକ ଶ୍ରୀଯୁକ୍ତ ତ୍ରିପାଠୀ କହିଥିଲି। ଲେଖକଙ୍କଠାରୁ ବଡ ହେଉଛନ୍ତି ପାଠକ। ସମସ୍ତେ ଲେଖକ ନୁହେଁ, ପାଠକ ହେବା ଆବଶ୍ୟକ ବୋଲି କହିଥିଲେ। ଦୁଃଖ ବେଳେ ବହିର ଆବଶ୍ୟକତା ପଡ଼ିଥାଏ ବୋଲି କହିଥିଲେ। ପାଠକ ଲେଖକକୁ ଈଶ୍ୱରଠାରୁ ଅଧିକ ଭଲ ପାଏ ବୋଲି ଡ. ଅଜୟ ସ୍ଵାଇଁଙ୍କ ଲେଖା ପଢୁଥିବା ଜଣେ ପାଠକଙ୍କ ସମ୍ପର୍କରେ ଉଦାହରଣ ଦେଇ ଶ୍ରୀଯୁକ୍ତ ତ୍ରିପାଠୀ କହିଥିଲେ। ସାହିତ୍ୟ ପାଠକକୁ ଛୁଇଁଲେ ସେ ଲେଖା ସଫଳ ଓ ଲେଖକ ବି ସଫଳ ବୋଲି କହିଥିଲେ।

ସାହିତ୍ୟ ଘର ରାଜ୍ୟ ସଂଯୋଜିକା ଶ୍ରୀମତୀ ଲେଙ୍କା ତାଙ୍କ ଅଭିଭାଷଣରେ, ନୁଆ ବହିର ବାସ୍ନା ମୋତେ ହାତଠାରି ଡାକେ ବୋଲି କହିଥିଲେ। ଅକ୍ଷର ଗୁଡିକ ସମୃଦ୍ଧ ହୋଇ ପୁସ୍ତକ ଆକାରରେ ଆମ ପାଖରେ ପହଞ୍ଚେ। ଅକ୍ଷର ସମଗ୍ର ବିଶ୍ୱ ଭ୍ରମଣ କରିପାରେ। ଲେଖକର ଆୟୁଷ ଥାଏ, ଅକ୍ଷରର ଆୟୁଷ ନଥାଏ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ଡ. ରାୟ ତାଙ୍କ ବକ୍ତବ୍ୟରେ, ମଣିଷ ସବୁବେଳେ ନିୟମ ଭାଙ୍ଗେ ବୋଲି କହିଥିଲେ। ଶୃଙ୍ଖଳିତ ଜୀବନକୁ ବିଶୃଙ୍ଖଳିତ ହୋଇଯାଏ। ଜୀବନରେ ବହୁତ କିଛି ଶିକ୍ଷା ମିଳେ। ଅବଧୂତ ୨୪ ଗୁରୁ କରିଥିବା ବିଷୟକୁ ଉପସ୍ଥାପନ କରିଥିଲେ। ବେଗ ଓ ଆବେଗ ଦୂର କରିବା ପାଇଁ ଭାବର ଆବଶ୍ୟକତା ରହିଛି। ବରିଷ୍ଠ କଥାକାର ଡ. ସ୍ବାଇଁ ଜଗନ୍ନାଥଙ୍କ ମାତୃଭାଷା କଣ ବୋଲି ପ୍ରଶ୍ନ କରି ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ। ଜୟଦେବ ଓଡ଼ିଶାର ନା ବଙ୍ଗଳାର ବୋଲି ଆଲୋଚନା ଜୋର ହେଉଥିବା କହିଥିଲେ। ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ବାହାରୁଥିବା ଅର୍ଥର ୩୦ ପ୍ରତିଶତ ସଂସ୍କୃତ ଭାଷାର ଉନ୍ନତି ପାଇଁ ଖର୍ଚ୍ଚ ହେଉଥିବା କହିଥିଲେ। ବହି ପିଲାଙ୍କୁ କଳ୍ପନା ଶିଖାଏ। ସମସ୍ତେ ଧୋକା ଦେବେ, ବହି କେବେ ଧୋକା ଦିଏନି। କବି ଚିରକାଳ ବଞ୍ଚିଥିବ, ବହି ଚିରକାଳ ବଞ୍ଚିକି ଥିବ।

କବି ଅଶୋକ ମଲ୍ଲ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସୌଦାମିନୀ ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଆୟୋଜିତ ପୁସ୍ତକ ମେଳାରେ ବହୁ ସଂଖ୍ୟାରେ ବହି ଷ୍ଟଲ ଓ ଅନେକ କ୍ୟାରିୟର କାଉନସେଲିଂ ଷ୍ଟଲ ଖୋଲା ଯାଇଥିଲା କାର୍ଯ୍ୟକ୍ରମକୁ ଧୀରେନ୍ଦ୍ର ପଟ୍ଟନାୟକ, ସଂଜୟ କୁମାର ସ୍ୱାଇଁ, ଅନୀଲ କୁମାର ପଣ୍ଡା, ବିଶ୍ୱଜିତ୍ ନାୟକ, ବିଭୂତି ଭୂଷଣ ସ୍ୱାଇଁ, ନିହାର ପଟ୍ଟନାୟକ, ଅବିନାଶ ସାହୁ, ଶେଖ୍ ଅବଦୁଲ ଖାଲିକ, ସ୍ମିତା ସ୍ଵାଇଁ, ସୌଦାମିନୀ ସ୍ଵାଇଁ ପ୍ରମୂଖ ପରିଚାଳନା କରିଥିଲେ । ଏହି ଅବସରରେ ପୁସ୍ତକ ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ କୁଇଜ୍ ପ୍ରତିଯୋଗିତାକୁ ସାମ୍ବାଦିକ ଉତ୍ପଳ କୁମାର ସାହୁ ସଂଯୋଜନା କରିଥିଲେ।

Related posts