ସୁକାନ୍ତି ମହାନ୍ତି
ନୁହଁଇ କବି ମୁଁ ନୁହେଁ ସାହିତ୍ୟିକା
ନୁହଁଇ ସୃଜନକାରୀ
ନୂଆ ସୃଷ୍ଟି କରି ତୋଷିବି ସଭିଙ୍କୁ
ଦେଖାଇବି ବାହାଦୂରୀ ।1।
ହୃଦୟ ବେଦନା ନିଛକ ସତ୍ୟକୁ
ପରଷିବା ମୋର ଲକ୍ଷ୍ୟ
ସୃଷ୍ଟି ସମ୍ଭାରରେ ଶବ୍ଦ ସଂଯୋଜନା
କରିବାରେ ନୁହେଁ ଦକ୍ଷ ।2।
ସରଳ ଭାଷାର କୁହୁକ ପେଡ଼ିକୁ
ଥୋଇବାରେ ମୋର ମନ
ଛୋଟିଆ ଦୀପଟେ ଦିବସେ ଜାଳିଲେ
ଆଲୋକ ହେବ କି ଦିନ ।3।
ଜନସଚେତନ ଅବା ଆଲୋଚନା
ଶୋଷଣ କଷଣ କେତେ
ଅନ୍ୟାୟ ଅନୀତି ଅବା ପ୍ରିୟା ପ୍ରୀତି
ସମାଜେ ରହିଛି ଯେତେ ।4।
କ୍ରାନ୍ତିକାରୀ ପରି ଲେଖନୀ ମୁନରେ
ଆଙ୍କିଲେ ଦି ଧାଡ଼ି ଲେଖା
ଦୂର ନ ହେଲେ ବି ଦୁର୍ନୀତି ଆବର
ଖୋଲି ଯିବ ଦିନେ ମୁଖା ।5।
ଆସ ସାଥୀ ଆସ ଦି ଧାଡ଼ି ଲେଖିବା
ଆମ ଗାଁ, ସହର କଥା
ସୁଖୀ ନ ହେଲେ ବି ଦୁଃଖୀ ତ ହେବନି
ମନରୁ ହରିବ ବ୍ୟଥା ।6।
