ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଉଦଯାପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଆଜି ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଉଦଯାପିତ ହୋଇଯାଇଛି। ଏଠାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବେ ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ ଭଗବାନ ଚନ୍ଦ୍ର ଦାସ, କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ପଟ୍ଟନାୟକ ନୟାଗଡ଼ ଜିଲ୍ଲାପାଳଙ୍କ ସଭାପତିତ୍ବରେ ପାଣି ପଞ୍ଚାୟତର ଆଲୋଚନା ଚକ୍ରକୁ ସଫଳାନ୍ଵିତ କରିଥିଲେ। ଫେବୃଆରୀ ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ପାଣି ପଞ୍ଚାୟତ ପକ୍ଷ ପାଳନ ନିମନ୍ତେ ସରକାର ଘୋଷଣା କରିଥିବା ନେଇ ସୂଚନା ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳ ଏହି ଯୋଜନାକୁ ଗଣତାନ୍ତ୍ରିକ ପଦ୍ଧତିରେ ସଫଳ ଓ ଦୀର୍ଘାୟୁ କରିବାକୁ କିପରି ମିଳିମିଶି ପାଣିର ସଦ୍ ବିନିଯୋଗ କରିବା ଏବଂ ପାଣିକୁ କିପରି ସଞ୍ଚୟ କରିବା, ଏହାକୁ କୃଷି କ୍ଷେତ୍ରରେ କିପରି ବିନିଯୋଗ କରିବା ଓ ସ୍ୱଳ୍ପ ଜଳରେ କିପରି ଭଲ ଉତ୍ପାଦନ କରି ଚାଷୀମାନେ ଲାଭବାନ ହେବେ ତାହା ସମ୍ପର୍କରେ ଆଲୋକପାତ କରିଥିଲେ। ତତ୍ ସହିତ ଭବିଷ୍ୟତରେ କିପରି ପାଣିର ଅଭାବ ଦେଖା ନଦେବ ଏବଂ ସମସ୍ତେ ସୁବିଧାରେ ଏହାର ବ୍ୟବହାର କରିପାରିବେ ସେ ସମ୍ପର୍କରେ ଚର୍ଚ୍ଚା କରିଥିଲେ। ବର୍ଷା ଦିନର ଜଳକୁ କିପରି ସଂରକ୍ଷଣ କରି ଏହାକୁ ନିତ୍ୟନ୍ଦିନ କାର୍ଯ୍ୟରେ ବ୍ୟବହାର କରିବେ ଏହା ଉପରେ ସୂଚନା ଦେଇଥିଲେ ଓ ସେଠାରେ ଥିବା ପାଣି ପଞ୍ଚାୟତର ପ୍ରତିନିଧି,ଚାଷୀ ଏବଂ ଉଠା ଜଳସେଚନର କର୍ମଚାରୀ ଙ୍କୁ ଜିଲ୍ଲାପାଳ ଶପଥ ପାଠ କରାଇଥିଲେ। ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ଵାରା ହୋଇଥିବା ପ୍ରକଳ୍ପ ମଧ୍ୟରୁ କୃତୀ ତଥା ଜିଲ୍ଲା ସ୍ତର ନିମନ୍ତେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିଥିଲେ। ୨୦୦୨, ୨୦୦୩ ରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲେ ହେଁ ପ୍ରଚାର ପ୍ରସାରର ଅଭାବ ନିମନ୍ତେ ଏହା ଅଧାପନ୍ତରିଆ ହୋଇ ରହି ଯାଇଥିଲା। ମାତ୍ର ୨୦୨୩ ବର୍ଷରେ ସରକାର ଏହାକୁ ସଂପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରଚେଷ୍ଟା ଜାରି ରଖିଛନ୍ତି।

Related posts