ମରଣ ଜନ୍ତା ପାଲଟିଛି ଉପର ମଣିନାଗ ରାସ୍ତା, ପାଣିରେ ପଡ଼ିଲା ୪କୋଟି ଟଙ୍କା

ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ପାହାଡ଼ ଶିଖରରେ ଥିବା ମଣିନାଗ ପୀଠର ରାସ୍ତାଟି ନିର୍ମାଣର ଅଳ୍ପ କିଛି ବର୍ଷ ମଧ୍ୟରେ ସମ୍ପୂର୍ଣ ନଷ୍ଟ ହୋଇ ଗଲାଣି। ଏହି ରାସ୍ତା ଦେଇ ଯିବାଆସିବା କରିବା ପାଇଁ ପର୍ଯ୍ୟଟକ ସୁରକ୍ଷିତ ମନେ କରୁ ନାହାନ୍ତି। ତଳ ମଣିନାଗ ପୀଠରୁ ଉପର ମଣିନାଗ ପୀଠକୁ ଯିବା ପାଇଁ ତିଆରି ହୋଇଥିଲା ଏହି ୫କିମି ଲମ୍ବର ଘାଟି ରାସ୍ତା। ଏଥିପାଇଁ 4 କୋଟି ଟଙ୍କା ବ୍ୟୟ ହୋଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ଏହି ରାସ୍ତାର ଅର୍ଥ ପାଣିରେ ପଡ଼ିଥିବା ଚର୍ଚ୍ଚା ହେଉଛି।

ପ୍ରଥମେ ନିର୍ମାଣ କାର୍ଯ୍ୟ ସରିବାର କିଛି ମାସ ପରେ ବ୍ୟବହାର ପୂର୍ବରୁ ରାସ୍ତା ଦୁଇ ଫାଳ ହୋଇ ଧସି ଆସିଥିଲା। ବର୍ଷା ଦିନେ ଏହି ରାସ୍ତା ଦୁଇ କଡ଼ରୁ ପାହାଡ଼ ଧସି ଥାଏ। ତଳୁ ଉପର ପର୍ଯ୍ୟନ୍ତ ମୋଟ 19 ଟି ବୁଲାଣି ଘାଟି ରାସ୍ତା ଥାଏ। ସେଥି ମଧ୍ୟରୁ 14 ନମ୍ବର ବୁଲାଣି ରାସ୍ତା ଅତି ସଂକୀର୍ଣ୍ଣ ହୋଇ ଯାଇଥିବା ଯୋଗୁଁ ପାହାଡ଼ ଶିଖରକୁ ଚାରି ଚକିଆ ଯାନ ଯିବା ବହୁ କଷ୍ଟକର ହୋଇ ପଡୁଛି। ବିପଦ ସଂକୁଳ ରାସ୍ତା ଯୋଗୁଁ ୨ ବର୍ଷ ତଳେ ଦୁଇଟି ମୋଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।

ଏପରିକି ରାଜ୍ୟପାଳଙ୍କ କିଛି କର୍ମଚାରୀ ଏକ କାରରେ ପାହାଡ଼ ଶିଖରରୁ ଫେରିବା ବେଳେ ନଷ୍ଟ ହୋଇ ଯାଇଥିବା ରାସ୍ତା ଓ ସଂକୀର୍ଣ୍ଣ ବୁଲାଣି ରାସ୍ତା ଯୋଗୁଁ କାରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। 2022 ମସିହା ଫେବୃୟାରୀ ମାସରେ ମଧ୍ୟ ଏକ କାର ଉପରି ଓଲଟି ପାଞ୍ଚଟି ମୋଡଣି ତଳକୁ ସିଧା ଖସି ଆସିଥିଲା। ଏହି ଦୁର୍ଘଟଣା ଖବର ସାରା ରାଜ୍ୟକୁ ଦୋହଲାଇ ଦେଇଥିଲା। ମା ମଣିନାଗଙ୍କ ଆଶୀର୍ବାଦରୁ ଗାଡିରେ ଥିବା ସମସ୍ତେ ସୁରକ୍ଷିତ ଥିଲେ। ଏହି ସବୁ ଦୁର୍ଘଟଣାର କାରଣ ହେଉଛି ନିମ୍ନ ମାନର ରାସ୍ତା କାର୍ଯ୍ୟ।

2013 ମସିହାରେ ମୁଖ୍ୟମନ୍ତ୍ରୀ ଏହି ରାସ୍ତା ନିର୍ମାଣ ନିମନ୍ତେ ପ୍ରାୟ 3 କୋଟି 69 ଲକ୍ଷ ଟଙ୍କା ମଞ୍ଜୁର କରି ଏହାର ଶିଳାନ୍ୟାସ କରିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗର ନିମ୍ନମାନ ର କାର୍ଯ୍ୟ ଯୋଗୁଁ ରାସ୍ତା ବ୍ୟବହାରର ଅଳ୍ପ ଦିନ ପରେ ବିପଦ ସଂକୁଳ ରାସ୍ତାରେ ପରିଣତ ହୋଇ ଯାଇଛି। ଏବେ ଏହି ରାସ୍ତା ଦେଇ ଉପର ମଣିନାଗ ପୀଠକୁ ଯିବା ପାଇଁ ପର୍ଯ୍ୟଟକମାନେ ସୁରକ୍ଷିତ ମନେ କରୁ ନାହାନ୍ତି। ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ଏହାର ସମାଧାନ କରିବା ପାଇଁ ସାଧାରଣରେ ଦାବି ହେଉଛି।

Related posts