
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଆଗରେ ଗତ ଅକ୍ଟୋବର ୨୭ତାରିଖ ଦିନ ବିଜୁ ଶ୍ରମିକ ସାମ୍ମୁଖ୍ୟ ନେତୃତ୍ବରେ କାବ୍ୟରତ ନିର୍ମାଣ ଶ୍ରମିକ ମହାସଂଘ ଓ ନିର୍ମାଣ ଶ୍ରମିକ ଫେଡେରେସନ୍ ପକ୍ଷରୁ ଶହ ଶହ ଶ୍ରମିକ ଧାରଣା ଦେଇଥିଲେ । ଶ୍ରମ ବିଭାଗର ଅପାରଗତା ଏବଂ ସ୍ଥାଣୁତାକୁ ନେଇ ଧାରଣା ଦିଆଯାଇଥିବା ବେଳେ ପଡ଼ି ରହିଥିବା ସହାୟତା ରାଶିକୁ ନିର୍ଦ୍ଦିଷ୍ଟ ସମୟ ଭିତରେ ପ୍ରଦାନ କରିବା, ଅନଲାଇନ ଆବେଦନ କାରୀଙ୍କୁ ତୁରନ୍ତ ପରିଚୟ ପତ୍ର ପ୍ରଦାନ, ଅଣସଂଗଠିତ ଶ୍ରମିକମାନଙ୍କୁ ପରିଚୟ ପତ୍ର ଦେବାରେ ପାତରଅନ୍ତର ବନ୍ଦ କରାଯାଉ, ମୃତ୍ୟୁ ସହାୟତା ଏକ ମାସ ମଧ୍ୟରେ ପ୍ରଦାନ କରାଯାଉ, କାବ୍ୟରେ ଅବହେଳା କରୁଥିବା କର୍ମଚାରୀ ବିରୁଦ୍ଧରେ ଦୃଢ଼
କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରଯାଇଥିଲା । ଦୀର୍ଘସମୟ ଧରି
ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ କରାଯିବା ପରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ
ପ୍ରଦୀପ କୁମାର ମହାନ୍ତି ଏବଂ ଜିଲ୍ଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁ
ଆନ୍ଦୋଳନ ସ୍ଥଳକୁ ଆସି ଦାବିପତ୍ର ଗ୍ରହଣ କରିବା ସହ ପଡ଼ି ରହିଥିବା
ଆବେଦନ ଗୁଡ଼ିକ ବିଚାର କରି ମୃତ୍ୟୁ ସହାୟତା ନଭେମ୍ବର ୨୭ ତାରିଖ
ମଧ୍ୟରେ ପ୍ରଦାନ କରିବା, ବିବାହ ସହାୟତା ନଭେମ୍ବର ୧୫, ଅନ୍ୟାନ୍ୟ ୪୫ ଦିନ ମଧ୍ୟରେ ପ୍ରଦାନ କରାଯିବାକୁ ପ୍ରତିଶୃତି ଦେଇଥିଲେ । ମାତ୍ର ପ୍ରତିଶୃତି ପାଣିର ଗାର ପାଲଟି ଯାଇଥିଲା । ଦୀର୍ଘଦିନ ବିତିଥିଲେ ବି ଆଜି ପର୍ଯ୍ୟନ୍ତ ପ୍ରତିଶୃତି ମୁତାବକ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରାଯାଇନାହିଁ । ଯାହାକୁ ନେଇ ଶ୍ରୀ ସାଇ ନିର୍ମାଣ ଶ୍ରମିକ ସେବା ପ୍ରତିଷ୍ଠାନ ସଭାପତି ବାସୁଦେବ ମହାନ୍ତି, ବିଜୁ ଶ୍ରମିକ ସାମ୍ମୁଖ୍ୟ ସହ ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ ଆଜିଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଛନ୍ତି । ଶ୍ରମ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ପଡ଼ିରହିଥିବା ଆବେଦନ ଗୁଡ଼ିକ ବିଚାର କରି ସହାୟତା ପ୍ରଦାନ ପାଇଁ ଦାବି କରିଛନ୍ତି। ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ୧୦୯ଜଣଙ୍କର ମୃତ୍ୟୁ କାଳୀନ ସହାୟତା, ୩୩୪ ଜଣଙ୍କର ଝିଅ ବିବାହ ସହାୟତା, ୧୪୧୩ ଜଣଙ୍କର ବିବାହ ସହାୟତା, ୭ ଜଣ ଅଣସଂଗଠିତ ଶ୍ରମିକଙ୍କ ମୃତ୍ୟୁ କାଳୀନ ସହାୟତା ଆବେଦନ ପଡ଼ି ରହିଛି । ଏହି ଆମରଣ ଅନଶନକୁ ବିଜୁ ଜନତା ଦଳ ଉପସଭାନେତ୍ରୀ ପ୍ରଭାସିନୀ ନନ୍ଦ, ଜିଲ୍ଲା କମ୍ୟୁନିଷ୍ଟ ନେତା ବିଶ୍ୱନାଥ ମହାପାତ୍ର, ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ ଦାସ, ଜିଲ୍ଲା ଅଙ୍ଗନବାଡ଼ି କର୍ମଚାରୀ ସଂଘ ସମର୍ଥନ ଦେଇ ଧାରଣାରେ ବସିଥିବା ଦେଖାଯାଇଛି।
