ପ୍ଲାଷ୍ଟିକ୍ ଫ୍ରି ପରିବେଶ ଗଠନ ପାଇଁ ଅନନ୍ୟା ଫାଉଣ୍ଡେସନ୍ ପକ୍ଷରୁ ନିଆରା ପ୍ରୟାସ, ପଲିଥିନ ବଦଳରେ ବାଉଁଶ ଚାଙ୍ଗୁଡ଼ି

ନୟାଗଡ଼,(ନୟାଗଡ଼ ଦର୍ପଣ): ଅନନ୍ୟା ଫାଉଣ୍ଡେସନ ତରଫରୁ କାର୍ତ୍ତିକ ମାସ ସାରା ନୟାଗଡ଼ ଜିଲ୍ଲାର ଶହେରୁ ଉର୍ଦ୍ଧ୍ବ ମନ୍ଦିର ସଫେଇ କରିବା ପରେ ଏହାର ସମାପନ ଦିବସ ପାଳନ କରାଯାଇଛି। ଏକ ମାସ ଧରି ଚାଲିଥିବା ସଫେଇ କାର୍ଯ୍ୟକ୍ରମର ସମାପନ ଦିବସରେ ଅନନ୍ୟା ଫାଉଣ୍ଡେସନ ତରଫରୁ କିଛି ନିଆରା କାର୍ଯ୍ୟକ୍ରମ କରାଯାଇଛି। ସୂଚନାଯୋଗ୍ୟ ଯେ ଅନନ୍ୟା ଫାଉଣ୍ଡେସନ୍ ତରଫରୁ ମାସେ ଧରି ମନ୍ଦିର ଗୁଡିକରୁ ପ୍ଲାଷ୍ଟିକ ସଂଗ୍ରହ କରି ବୈଜ୍ଞାନିକ ପଦ୍ଧତିରେ ପୁନଃଚକ୍ରଣ କରାଯାଉଛି। ଆଜିର ଏହି ସମାପନ ଦିବସରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର ନାଥ ସାହୁ ଉପସ୍ଥିତ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ଓ ସୁନାଖଳା ସରପଞ୍ଚ ତଥା ସ୍ୱଚ୍ଛତା ପାଇଁ ରାଷ୍ଟ୍ରପତି ପୁରସ୍କାର ପାଇଥିବା ଯୁବ ସମାଜସେବୀ ଚିତ୍ତରଞ୍ଜନ ପ୍ରଧାନ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନେ ପ୍ରଭୂ ରଘୁନାଥଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ପରେ ଅତିଥିମାନେ ପଲିଥିନ ଅପକାରିତା ଉପରେ ଆଲୋକପାତ କରିଥିଲେ। ପରେ କୁନି ବକ୍ତା ଶୁଭଶ୍ରୀ ଉପସ୍ଥିତ ଥିବା ଦର୍ଶକ ମାନଙ୍କୁ ପଲିଥିନର ଅପକାରିତା ଉପରେ ବକ୍ତବ୍ୟ ପ୍ରଦାନ କରି ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲେ। ପରେ ସ୍ୱଚ୍ଛତା ଉପରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କିଛି ବ୍ୟକ୍ତିଙ୍କୁ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା। ପରେ ସ୍ଥାନୀୟ ପୂଜା ସାମଗ୍ରୀ ବ୍ୟବସାୟୀଙ୍କୁ ବାଉଁଶ ଚାଙ୍ଗୁଡ଼ି ପ୍ରଦାନ କରାଯାଇଥିଲା। ମନ୍ଦିରରେ ଭୋଗ ନେବା ପାଇଁ ଜନସାଧାରଣ ପଲିଥିନ ବ୍ୟବହାର କରୁଥିବା ଯୋଗୁଁ ପ୍ରଦୂଷଣ ବଢୁଥିବାରୁ ଓଡ଼ଗାଁ ରଘୁନାଥ ମନ୍ଦିରରୁ ବାଉଁଶ ଚାଙ୍ଗୁଡିର ବ୍ୟବହାର କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା। ଆଗାମୀ ଦିନରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ଧାର୍ମିକ ସ୍ଥଳରେ ଏଭଳି ବାଉଁଶ ଚାଙ୍ଗୁଡ଼ି ପ୍ରଦାନ କରାଯିବ।

Related posts