ନୟାଗଡ଼,(ନୟାଗଡ଼ ଦର୍ପଣ): ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର ଅନ୍ତର୍ନିହିତ ତଥା ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ଶିଶୁ ପ୍ରତିଭା ଉତ୍ସବ ‘ସୁରଭି’ କାର୍ଯ୍ୟକ୍ରମ । ବିଭିନ୍ନ ବିଷୟରେ ପ୍ରାଥମିକ ସ୍ତରରୁ ହାଇସ୍କୁଲସ୍ତର ପର୍ଯ୍ୟନ୍ତ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗୀତା କରାଯାଇ ଶ୍ରେଷ୍ଠ ପ୍ରତିଯୋଗୀ ବାଛିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଅଟେ । ଏହି ପ୍ରତିଯୋଗୀତା କ୍ଲଷ୍ଟର ସ୍ତରରୁ ଆରମ୍ଭ ହୋଇ ବ୍ଲକ,ଜିଲ୍ଲା ଏବଂ ଶେଷରେ ରାଜ୍ୟସ୍ତର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ବଛାଯାଇଥାଏ । ଏହି ପରିପ୍ରେକ୍ଷୀରେ ଆଜି ବ୍ଲକ ସ୍ତରୀୟ ‘ସୁରଭି’ ପ୍ରତିଯୋଗିତା ନୟାଗଡ଼ ବ୍ଳକ ଅନ୍ତର୍ଗତ ଚଣ୍ଡୀ ସରକାରୀ ହାଇସ୍କୁଲ,ବାଲୁଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଲକ ଶିକ୍ଷା ବିଭାଗ ଅନ୍ତର୍ଗତ ୧୫ଟି କ୍ଲଷ୍ଟରରୁ ଉଭୟ ଜୁନିୟର ଏବଂ ସିନିୟର ବିଭାଗରୁ ମୋଟ ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାଧାରଣ ଜ୍ଞାନ,କୁଇଜ, ବକ୍ତୃତା,ଚିତ୍ରାଙ୍କନ, ସୃଜନଶୀଳ ଲିଖନ,ପ୍ରବନ୍ଧ, ଦେଶତ୍ମବୋଧ ସଙ୍ଗୀତ,ସୁନ୍ଦର ହସ୍ତାକ୍ଷର ଲିଖନ ତଥା ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ନୃତ୍ୟ ଆଦିରେ ଅଂଶ ଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀ ମାନେ ଆସନ୍ତା ୭ ତାରିଖରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବେ । ବ୍ଲକ ସ୍ତରୀୟ ଏହି ସୁରଭି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଳ୍ଲା ଶିକ୍ଷାଧିକାରୀ ଡ.ବସନ୍ତ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଉଦଘାଟନ କରିଥିଲେ । ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦାନ କରି କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଏବଂ ପୁରସ୍କାର ପ୍ରଦାନ କରିଥିଲେ । ବ୍ଲକ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଏହି ଉଦଯାପନୀ ସଭାରେ ସମ୍ମାନୀତ ଅତିଥିଭାବେ ଜିଲ୍ଲା ପରିଷଦ ସଦସ୍ୟ ସୁବାଷ କଅଁର,ବାଲୁଗାଁ ସରପଞ୍ଚ ମନୋଜ ନାୟକ,ସମିତିସଭ୍ୟା କବିତା ନାୟକ,ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ସଂଜୟ ମଲ୍ଲିକ ଏବଂ ଧନେଶ୍ୱର ସେଠି ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷକନେତା ଶେଖ ଅବଦୁଲ ଖାଲିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଚଣ୍ଡୀ ସରକାରୀ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିବପ୍ରସାଦ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ ।
ମଣ୍ଡଳ ସ୍ତରୀୟ ଶିଶୁ ପ୍ରତିଭା ଉତ୍ସବ ‘ସୁରଭି’ ଅନୁଷ୍ଠିତ
