ବିଦ୍ୟାଳୟରୁ କବାଟ ସହିତ ଲୁହା ବିମ ତାଡି ନେଲେ ଦୁର୍ବୃତ୍ତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନଥାନା ଅନ୍ତର୍ଗତ ମୁନିସିପାଲିଟି ଅଞ୍ଚଳରେ ଥିବା ନୂଆ ରାଜବାଟୀ ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଦୁବୃର୍ତ୍ତମାନେ ବିଦ୍ୟାଳୟର ଲୁହା କବାଟ ଏବଂ ଅଜବେଷ୍ଟସ ତଳେ ଲାଗିଥିବା ଲୁହା ବିମ ଗୁଡ଼ିକୁ ରାତି ଅଧିଆ ତାଡ଼ି ନେଇଛନ୍ତି । ଫଳରେ ବିଦ୍ୟାଳୟର ଅନେକ ଆଜବେଷ୍ଟସ ଭାଙ୍ଗି ତଳେ ପଡ଼ିବା ସହିତ ଶ୍ରେଣୀଗୃହ କ୍ଷତିଗ୍ରସ୍ତ ହୋଇ ବିପଦ ଶଙ୍କୁଳ ପରିବେଶ ସୃଷ୍ଟି ହୋଇଛି । ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଧ୍ୟାରାଣୀ କର ନୟାଗଡ଼ ଟାଉନଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଯୋଗ୍ୟ ଯେ ବୀପାବଳି, ସୂର୍ଯ୍ୟପରାଗ ଏବଂ ରବିବାର ଯୋଗୁଁ ବିଦ୍ୟାଳୟ କ୍ରମାଗତଭାବେ ତିନିଦିନ ଛୁଟିଥିଲା । ତେବେ ଆଜି ବିଦ୍ୟାଳୟ ଖୋଲିଥିବା ବେଳେ ଏଠାରେ ସକାଳୁ ଚାଲୁଥିବା ଅଙ୍ଗନବାଡ଼ି କେନ୍ଦ୍ରର ପରିଚାଳିକା ପ୍ରଥମେ ଏହା ଦେଖି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଖବର ଦେଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କର ପ୍ରଥମେ ଏହି ଘଟଣାକୁ ବ୍ଲକ ଶିକ୍ଷାଧିକାରୀଙ୍କୁ ଜଣାଇ ତାଙ୍କରି ପରାମର୍ଶ କ୍ରମେ ଟାଉନ ଥାନାରେ ଏତଲା ଦାଖଲ କରିଥିଲେ । ଅନ୍ୟପକ୍ଷରେ ଏହି ବିଦ୍ୟାଳୟରେ ପାଚେରୀ ନଥିବା ବେଳେ ଏହାର ସୁଯୋଗ ନେଇ ନିଶାଖୋର ମାନେ ସନ୍ଧ୍ୟା ସମୟରେ ଏଠାରେ ନିଶାଦ୍ରବ୍ୟ ସେବନ କରିବା ସହିତ ନାନା ପ୍ରକାରର ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ସାଧାରଣରେ ଆଲୋଚନା ହେଉଛି ।

Related posts