ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ବାଲ୍ୟବିବାହକୁ ସମ୍ପୂର୍ଣ୍ଣ ନିଷେଧ କରିବା ପାଇଁ ନିଜ ନିଜ ଜାତି ସମାଜ ତରଫରୁ ଘୋଷଣା କରିଥିବା ଜାତି ମୁଖିଆଙ୍କୁ ଆଜି ଜିଲ୍ଲାସ୍ତରରେ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କଲେ ଜିଲ୍ଲାପାଳ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ନୟାଗଡ଼ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ଦିବା ୧୧ଘଟିକା ସମୟରେ ଜିଲ୍ଲାପାଳ ଡା.ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜାତି ସମାଜ ମୁଖିଆଙ୍କର ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବାଲ୍ୟବିବାହ ଭଳି ଏକ ଧର୍ତ୍ତବ୍ୟ ଦଣ୍ଡନୀୟ ଅପରାଧ ଓ କୁପ୍ରଥାକୁ ଜିଲ୍ଲାରେ ସମ୍ପୂର୍ଣ୍ଣ ନିଷେଧ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଆରମ୍ଭ କରାଯାଇଥିବା ପ୍ରୟାସକୁ ସଫଳ କରିବାକୁ ସମସ୍ତ ଜାତି ମୁଖିଆଙ୍କୁ ନିବେଦନ କରିବା ସହ ଏଭଳି ସମାଜ ସେବାଭଳି ମହତ କାର୍ଯ୍ୟ କରୁଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ଜାତି ସମାଜକୁ ଧନ୍ୟବାଦ ଦେଇଥିଲେ।

“ଅଲିଭା, ବାଲ୍ୟ ବିବାହକୁ ନା’ ଅଭିଯାନକୁ ଜିଲ୍ଲାରେ ସୁଦୃଢ଼ କରିବାକୁ ମଧ୍ୟ ଆହ୍ୱାନ ଦେଇଥିଲେ। ଜିଲ୍ଲାରେ ବାଲ୍ୟବିବାହକୁ ରୋକିବା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନର ସ୍ବତନ୍ତ୍ର ପଦକ୍ଷେପ “ଅଲିଭା ରେଜିଷ୍ଟର” ଜାରିକୁ ସଠିକ ଭାବେ ଅନୁସରଣ କରିବା ପାଇଁ ଉପସ୍ଥିତ ବାଲ୍ୟବିବାହ ନିଷେଧ ଅଧିକାରିଣୀ (ସିଡିପିଓ), ସୁପର ଭାଇଜର, ଜିଲ୍ଲା ଅଧିକାରୀ ଓ ଜାତି ମୁଖିଆଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏସ.କେ ଇନିୟାତ୍ତ ତୁଲ୍ଲା, ଡିଏସଡବ୍ଲଓ ମମତାରାଣୀ ପାତ୍ର, ଆକ୍ସନ ଏଡ଼ର ଜିଲ୍ଲା ପରାମର୍ଶ ଦାତ୍ରୀ ଇପ୍ସିତା ଅଗ୍ରୱାଲା, ପିଓ-ଆଇ ସି ସତ୍ୟରଞ୍ଜନ ଦାସ ପ୍ରମୁଖ ଶିଶୁ ସୁରକ୍ଷା, ଶିଶୁର ଅଧିକାର, ବାଲ୍ୟବିବାହର କାରଣ, ଏହାର ବିପଦ ଏବଂ ଏହାର ନିରାକରଣ ପାଇଁ ଆଇନ ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ। ଜାତି ମୁଖିଆ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଓ ପ୍ରଶାସନିକ ସହାୟତା ସମ୍ପର୍କରେ ଅବଗତ କରିଥିଲେ । ପରିଶେଷରେ ଜିଲ୍ଲାପାଳ ନିଜ ନିଜ ଜାତି ସମାଜ ତରଫରୁ ଘୋଷଣା କରିଥିବା ଆଠଟି ଜାତି ସମାଜର ମୁଖିଆଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ। ଉପସ୍ଥିତ ଜାତି ମୁଖିଆ, ସମସ୍ତ ସରକାରୀ ଅଧିକାରୀ ଓ ଅଧିକାରିଣୀମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ବାଲ୍ୟବିବାହ ନିଷେଧ ପାଇଁ ଶପଥ ପାଠ କରାଯାଇଥିଲା। ଜିଲ୍ଲା ସୁରକ୍ଷା ଅଧିକାରିଣୀ ଉର୍ମିଳା ପରିଡା ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଧନ୍ୟବାଦ ପ୍ରଦାନ କରିଥିଲେ।