ସାମ୍ବାଦିକ କିଶୋର ମହାପାତ୍ରଙ୍କ ଅକାଳ ବିୟୋଗ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଡିଜିଟାଲ ମିଡିଆ ସାମ୍ବାଦିକ ସଂଘ ସମ୍ପାଦକ ତଥା ଆୱାଜ ମେଡିଆର ଜିଲ୍ଲା ପ୍ରତିନିଧି କିଶୋର ମହାପାତ୍ର ମସ୍ତିଷ୍କାଘାତରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୪୭ବର୍ଷ ବୟସ ହୋଇଥିଲା । କିଶୋରଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ବୁଧବାର ବିଳମ୍ବିତ ରାତିରେ କିଶୋର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପ୍ରଥମେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତରିତ କରାଯାଇଥିଲା । ପୁନର୍ବାର ଏମସରୁ ଅନ୍ୟ ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଅବସ୍ଥା ସାଂଘାତିକ ଥିବାରୁ ତାଙ୍କୁ ଆଇସିୟୁରେ ରଖା ଯାଇଥିଲା। ମାତ୍ର ଶୁକ୍ରବାର ଦିନ ସନ୍ଧ୍ୟାରେ ତାଙ୍କର ପରଲୋକ ଘଟିଥିଲା । ଶନିବାର ଭୋର ସମୟରେ କିଶୋରଙ୍କ ମରଶରୀର ନୟାଗଡ଼ ପୁରୁଣା ସହରସ୍ଥିତ ବାସଭବନରେ ପହଞ୍ଚିବା ପରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ଶେଷ ଦର୍ଶନ କରିଥିଲେ । ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ଅନ୍ତିମ ସଂସ୍କାର ପୁରୁଣା ସହର ଶ୍ମଶାନରେ କରାଯାଇଥିଲା । କିଶୋର ମହାପାତ୍ର ଜଣେ ପରୋପକାରୀ ଏବଂ ନିର୍ଭୀକ ସାମ୍ବାଦିକ ଭାବେ ବେଶ ଜଣାଶୁଣା ଥିଲେ । ତାଙ୍କ ବିୟୋଗରେ ଜିଲ୍ଲାବ୍ୟାପି ସାମ୍ବାଦିକ, ରାଜନେତା ତଥା ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଶୋକାକୁଳ ପରିବାରକୁ ସମବେଦନା ଜଣାଇଛନ୍ତି।

Related posts