ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରତିମୂର୍ତ୍ତି କମିଟି ଆବାହକ ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ନୟାଗଡ଼ର ଦୁଇଟି ମହାବିଦ୍ୟାଳୟ ଯଥା ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କୁ ମହାବିଦ୍ୟାଳୟ ପରିସରରେ ପ୍ରତିଷ୍ଠାତାମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନା ନିମନ୍ତେ ଚିଠି ମାଧ୍ୟମରେ ଜଣାଇଛନ୍ତି।
ସୂଚନାଯୋଗ୍ୟ, ଦୀର୍ଘ ୬୫ ବର୍ଷ ତଳେ ବଣ ପାହାଡ଼ ଘେରା ଅନୁନ୍ନତ ନୟାଗଡ଼ରେ ଉଚ୍ଚଶିକ୍ଷାର ପ୍ରଚାର ଏବଂ ପ୍ରସାର ପାଇଁ ଦୀପ ପ୍ରଜ୍ଜ୍ୱଳନ ସଦୃଶ ନୟାଗଡ଼ କଲେଜ ନିର୍ମାଣ ପାଇଁ ଯେଉଁ କେତେଜଣ ବୁଦ୍ଧିଜୀବୀ ସ୍ଵପ୍ନ ଦେଖିଥିଲେ ସେମାନଙ୍କ ମଧ୍ୟରୁ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ସମ୍ପାଦକ ସ୍ଵର୍ଗତଃ ଅକ୍ରୁର ମହାପାତ୍ର ଏବଂ ଅଧ୍ୟକ୍ଷ ସ୍ଵର୍ଗତଃ ଗୋପାଳ ଚନ୍ଦ୍ର ପଟ୍ଟନାୟକ ଅନ୍ୟତମ।

ନୟାଗଡ଼ କଲେଜ ତା’ର ରୌପ୍ୟ ଜୟନ୍ତୀ, ସୁବର୍ଣ୍ଣ ଜୟନ୍ତୀ ପାଳନ କରି ସରରିଥିବା ବେଳେ ବର୍ତ୍ତମାନ ହୀରକ ଜୟନ୍ତୀ ପାଳନ ପାଇଁ ଧୁମ୍ଧାମର ସହ ସଜବାଜ କରାଯାଉଛି। କିନ୍ତୁ ଅତ୍ୟନ୍ତ ପରିତାପ ଏବଂ ଦୁର୍ଭାଗ୍ୟର କଥା ଏହିଯେ, କଲେଜ କର୍ତ୍ତୃପକ୍ଷ କଲେଜ ନିର୍ମାଣ କ୍ଷେତ୍ରରେ ଯାହାଙ୍କ ତ୍ୟାଗ ଅତୁଳନୀୟ ଏବଂ ଅବର୍ଣ୍ଣନୀୟ ସେମାନଙ୍କୁ ସମ୍ପୂର୍ଣ୍ଣ ଭୁଲିଯାଇଛି। ପୂର୍ବ ନିଷ୍ପତ୍ତି ଅନୁଯାୟୀ କଲେଜ ପ୍ରାଙ୍ଗଣରେ ପ୍ରତିମୂର୍ତ୍ତି ପାଇଁ କୋଠରୀ ନିର୍ମାଣ ସରିଥିଲେ ହେଁ କୌଣସି ନା କୌଣସି ଆଳ ଦେଖାଇ ପ୍ରତିମୂର୍ତ୍ତି ସ୍ଥାପନ ହୋଇପାରିଲା ନାହିଁ ।

ଠିକ୍ ସେହିଭଳି ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ପ୍ରାଣ ପ୍ରତିଷ୍ଠାତା ନାରୀ ଶିକ୍ଷ୍ୟାର ଆଲୋକ ବର୍ତ୍ତିକା ସ୍ଵର୍ଗତଃ ଏସ୍.ଏମ୍. ସୋଲେମାନ୍ ଏବଂ ପ୍ରଜାମଣ୍ଡଳ ନାମରେ ରେକର୍ଡଭୁକ୍ତ କୋଟି କୋଟି ଟଙ୍କାର ୩ଏକରରୁ ଊର୍ଦ୍ଧ୍ଵ ଜମିକୁ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ନିର୍ମାଣ ପାଇଁ ଦାନ ଦେଇଥିବା ପ୍ରଜାମଣ୍ଡଳ ଆନ୍ଦୋଳନର ମୁଖ୍ୟ ପୁରୋଧା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ସ୍ଵର୍ଗତଃ ଶ୍ରୀଧର ଦାଶଙ୍କ ପ୍ରତିମୂର୍ତ୍ତି ମହିଳା କଲେଜ ପ୍ରାଙ୍ଗଣରେ ବାରମ୍ବାର ଦାବି ସତ୍ତ୍ବେ ଏଯାବତ୍ ନିର୍ମାଣ ହୋଇପାରିଲା ନାହିଁ।

ଉତ୍ତରପିଢି ଏବଂ ଯୁବପିଢିଙ୍କ ମଧ୍ୟରେ ଏକ ପ୍ରେରଣା ଏବଂ ଆଦର୍ଶ ଭରିଦେବା ସଙ୍ଗେ ସଙ୍ଗେ ନୂତନ ପିଢି ପ୍ରତିଷ୍ଠାତାମାନଙ୍କୁ ଚିହ୍ନ ଏବଂ କିଛି ଶିକ୍ଷାଲାଭ କରିବା ଲକ୍ଷ୍ୟନେଇ ପ୍ରତିମୂର୍ତ୍ତି ସ୍ଥାପନ ଅତ୍ୟନ୍ତ ଜରୁରୀ । ଯଦି କଲେଜ କର୍ତ୍ତୃପକ୍ଷ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ତେବେ ଆମେ ପୁରାତନ ଛାତ୍ର ନୟାଗଡ଼ର ଜନସାଧାରଣଙ୍କ ତରଫରୁ ଦାନସଂଗ୍ରହ କରି ଉଭୟ କଲେଜରେ ପ୍ରତିମୂର୍ତ୍ତି ସ୍ଥାପନ କରିବୁ ବୋଲି ନିଷ୍ପତ୍ତି ନେଇଅଛୁ । କଲେଜ ଅଧ୍ୟକ୍ଷଙ୍କୁ ବିନମ୍ର ଅନୁରୋଧ ଆମ୍ଭମାନଙ୍କୁ କଲେଜ ପ୍ରାଙ୍ଗଣରେ ପ୍ରତିମୂର୍ତ୍ତି ନିର୍ମାଣ ନିମନ୍ତେ ଆବଶ୍ୟକ ଅନୁମତି ତୁରନ୍ତ ଦିଆଯାଉ ।

