
ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଗୁରୁଦିବସ ଅବସରରେ ନୟାଗଡ଼ ବ୍ଲକର ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସ୍ଥାନୀୟ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ହିଁ ସମାଜର ଦିଗଦର୍ଶକ ଓ ସେମାନଙ୍କୁ ଅବହେଳା କରିବା ଉଚ୍ଚିତ ନୁହେଁ ବୋଲି ପ୍ରକାଶ କରିଥିଲେ । ଆଜିର ଶିକ୍ଷା ବ୍ୟବସ୍ଥା, ସାମାଜିକ ବ୍ୟବସ୍ଥା ଓ ଅର୍ଥନୈତିକ ବ୍ୟବସ୍ଥା ଉପରେ ବିଭିନ୍ନ ଅଭିଭାଷଣ ରଖିଥିଲେ । ଏଥିସହିତ ମୂଲ୍ୟବୋଧ ଶିକ୍ଷା ଉପରେ ସଚେତନ କରାଇବା ପାଇଁ ଡ଼ଃ. ସାହୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ସମ୍ମାନିତ ଅତିଥ୍ ଭାବେ ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁ ଯୋଗଦେଇ ସରକାରଙ୍କର ବିଭିନ୍ନ ଉନ୍ନତି ମୂଳକ ଶିକ୍ଷା ବ୍ୟବସ୍ଥା ଉପରେ ବକ୍ତବ୍ୟ ରଖୁଥିଲେ । ନିଜେ ପାଠ ପଢୁଥିବା ସମୟର କିଛି କାହାଣୀ ଓ ଗୁରୁ ମାନଙ୍କୁ କିପରି ସମ୍ମାନ ଦେବା ଏହା ଉପରେ ଟିପ୍ପଣୀ ପ୍ରଦାନ କରିଥିଲେ । ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଅକ୍ରୁର ବେହେରା, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରୀୟା ସାହୁ, ନୟାଗଡ଼ ପୌରାଞ୍ଚଳର ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷା ଗୁରପ୍ରସାଦ ଜେନା, ଜିଲ୍ଲା ପରିଷଦ ସଭ୍ୟ ସୁବାଷ ଚନ୍ଦ୍ର କଁହର, କ୍ଷୀରୋଦ ମହାପାତ୍ର, ସରୋଜ କୁମାର ରଣସିଂ ଓ ଆଶିଷ କୁମାର ଅଗ୍ରୱାଲ ପ୍ରମୁଖ ଯୋଗଦେଇଥିଲେ । ନୟାଗଡ଼ ବ୍ଲକର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟମାନେ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଶିକ୍ଷକ ଶରତ ଚନ୍ଦ୍ର ଆଚାର୍ଯ୍ୟ ଓ ଶେଖ ଅବଦୁଲ ଖାଲିକ ମଞ୍ଚ ପରିଚାଳନା କରିଥିଲେ ।

