ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପଂଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଡା. ଟୁଡ଼ୁ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ଆଜି ସମୁଦାୟ ୧୫୧ଗୋଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୧୩୭ଗୋଟି ଅଭିଯୋଗ, ସାମୁହିକ ଗ୍ରାମ ବିବାଦ ୦୨ଗୋଟିର ଶୁଣାଣି କରାଯାଇ ସମୁଦାୟ ୫୧ଗୋଟି କେସର ତତ୍କାଳ ସମାଧାନ କରାଯାଇଥିଲା। ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୦୬ଜଣ ଦରଖାସ୍ତକାରୀଙ୍କୁ ଟ.୬୫୦୦୦/-( ପଅଁଷଠି ହଜାର ଟଙ୍କା) ଆର୍ଥିକ ଅନୁଦାନ ଏବଂ ଜିଲ୍ଲା ରେଡ୍କ୍ରସ ସଂସ୍ଥାରୁ ୦୬ଜଣ ଦରଖାସ୍ତକାରୀଙ୍କୁ ଟ.୫୭୦୦୦/- (ସତାବନ ହଜାର ଟଙ୍କା) ଆର୍ଥିକ ଅନୁଦାନ ଅନୁମୋଦନ କରାଯାଇଥିଲା । ଅବଶିଷ୍ଟ କେସଗୁଡ଼ିକୁ ସାମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଏହି ଜନଶୁଣାଣି ଶିବିରରେ ଆରକ୍ଷୀ ଅଧୀକ୍ଷକ ଅଲେଖ ଚନ୍ଦ୍ର ପହି, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ତହସିଲଦାର ନୟାଗଡ଼, ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୟାଗଡ଼, ଜିଲ୍ଲାସ୍ତରୀୟ ପଦାଧୂରୀ, ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଗୁଡ଼ିକ ଶୁଣାଣି କରିବାରେ ଜିଲ୍ଲାପାଳଙ୍କୁ
ସହଯୋଗ କରିଥିଲେ।

