ଅଧ୍ୟୟନ ଓ ଗବେଷଣା ପାଇଁ ସମର୍ପିତ ଥିଲା ପଣ୍ଡିତ ବିନାୟକ ମିଶ୍ରଙ୍କ ଜୀବନ

ଡ୍ରଇଁ ଶିକ୍ଷକରୁ କଲିକତା ବିଶ୍ଵବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ

ନୟାଗଡ଼,(ନୟାଗଡ଼ ଦର୍ପଣ): ସାରା ଜୀବନ ଅଧ୍ୟୟନ ଓ ଗବେଷଣାରେ ନିମଗ୍ନ ଥିବା ମହାନ୍ ସାହିତ୍ୟିକ ପଣ୍ଡିତ ବିନାୟକ ମିଶ୍ର ସାମାଜିକ, ଆର୍ଥିକ, ପାରିବାରିକ ଦୁଃଖକଷ୍ଟକୁ ଭୃକ୍ଷେପ ନକରି ସାହିତ୍ୟ ଗବେଷଣାକୁ ଜୀବନର ବ୍ରତ ଭାବେ ଗ୍ରଦଣ କରିଥିଲେ । ମାତ୍ର ସପ୍ତମ ଶ୍ରେଣୀ ପାଠ ପଢିମଧ୍ୟ ନିଜର ଅସାଧାରଣ ଜ୍ଞାନ ପାଇଁ କଲିକତା ବିଶ୍ଵବିଦ୍ୟାଳୟର ଅଧ୍ୟାପକ ହୋଇପାରିଥିଲେ । କିନ୍ତୁ ସେଠାରେ ମିଳୁଥିବା ଦରମାକୁ ସେ ଖର୍ଚ୍ଚ କରିଦେଊଥିଲେ ପୁସ୍ତକ କିଣା ଓ ଗବେଷଣା କାର୍ଯ୍ୟରେ ଫଳରେ ଜୀବନର ଅନ୍ତିମ ସମୟରେ ରହିବା, ଖାଇବା ସହ ଅସୁସ୍ଥତା ଯୋଗୁଁ ଔଷଧ ପାଇଁ ମଧ୍ୟ କଷ୍ଟ ସହିବାକୁ ପଡିଥିଲା।ସେ ଥିଲେ ସ୍ୱାଭିମାନୀ,କାହାପାଖରେ ହାତପାତିବାକୁ ପସନ୍ଦ କରୁନଥିଲେ। ବାସ୍ତବରେ ଜୀବନର ଭଂଗା ଦୀପର ଉଜ୍ଜ୍ୱଳତମ ଶିଖା ଥିଲେ ପଣ୍ଡିତ ବିନାୟକ ମିଶ୍ର। ତାଙ୍କ ରଚିତ ଓଡ଼ିଆ ଭାଷାର ଇତିହାସ, ଓଡ଼ିଆ ସାହିତ୍ୟ ଇତିହାସ (୧୯୨୯), ଓଡ଼ିଆ ସାହିତ୍ୟ ପ୍ରକାଶ, ଭାରତୀୟ ଦର୍ଶନ ପ୍ରବେଶିକା, ଆଧୁନିକ ଓଡ଼ିଆ ସାହିତ୍ୟର ଇତିହାସ (୧୯୬୮), Dynasties of Medieval Orissa, Orissa under Bhauma king, Indian culture and cult of Jagannath ସାହିତ୍ୟର ଅମୂଲ୍ୟ ସଂପଦ ବୋଲି ପଣ୍ଡିତ ବିନାୟକ ମିଶ୍ରଙ୍କ ଜୟନ୍ତୀ ପାଳନ ଅବସରରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ।

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ତଥାସ୍ତୁ ଆନୁକୂଲ୍ୟରେ ଆୟୋଜିତ ଆମ ଗାଁ ଆମ ସାହିତ୍ୟ ତଥା ପଣ୍ଡିତ ବିନାୟକ ମିଶ୍ରଙ୍କ ଜୟନ୍ତୀ ନୟାଗଡ଼ ପଞ୍ଚାୟତ ସମିତି ସଭାକକ୍ଷରେ ସୁସାହିତ୍ୟିକା ବସିରନ୍ ବିବି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ପ୍ରଥମ ଅଧିବେଶନରେ ଅଧ୍ୟାପକ ଗଣେଶ ମିଶ୍ରଙ୍କ ସଂଯୋଜନା କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଅଶୋକ କୁମାର ନାୟକ, ସମ୍ମାନୀତ ଅତିଥି ଅବସର ପ୍ରାପ୍ତ ଅଧ୍ୟକ୍ଷ ମହମ୍ମଦ ଓମାର ମଲ୍ଲିକ, ସାହିତ୍ୟିକ ଶରତ ଚନ୍ଦ୍ର ଆଚାର୍ଯ୍ୟ ପଣ୍ଡିତ ମିଶ୍ରଙ୍କ ଜୀବନୀ ଏବଂ ସାହିତ୍ୟ କୃତି ଉପରେ ଆଲୋକପାତ କରିଥିଲେ। ତଥାସ୍ତୁର ସହ ସଂପାଦକ ଗୋକୁଳ କୁମାର ଷଡ଼ଙ୍ଗୀ ସ୍ୱାଗତ ଅଭିଭାଷଣ ଦେଇଥିଲେ। ଦ୍ୱିତୀୟ ଅଧିବେଶନର ବିଷୟ ‘ ଗ୍ରାମାଞ୍ଚଳରେ ପତ୍ରିକା ପ୍ରକାଶନ ଓ ପାଠକ ସମସ୍ୟା ‘ ଉପରେ ଗଠନର ସଂପାଦକ ପ୍ରଶାନ୍ତ କୁମାର ସାହୁ, ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ସଂପାଦକ ଶେଖ୍ ଅବଦୁଲ ଖାଲିକ୍, ସମ୍ବର୍ଦ୍ଧନାର ପ୍ରତିଷ୍ଠାତା ଏମ.ଦୀନବଂଧୁ, ରଘୁନାଥ ସାରସ୍ବତ ସଂସଦର ସଂପାଦକ ଭାବଗ୍ରାହୀ ମହାପାତ୍ର ପ୍ରମୁଖ ଆଲୋଚନା କରିଥିବା ବେଳେ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ନିକୁଲର ସଂପାଦକ ଦିଲ୍ଲୀପ କୁମାର ସାହୁ। ତୃତୀୟ ଅଧିବେଶନରେ ପରମ୍ପରାର ସଂପାଦକ ନିର୍ମଳ ଚନ୍ଦ୍ର ଶୂରଦେଓ ସଭାପତିତ୍ବ କରିଥିଲେ ଏବଂ ଗୋପୀନାଥ ସେଠୀ, କ୍ଷଣପ୍ରଭା କରଙ୍କ ସଂଯୋଜନାରେ ୨୦ ରୁ ଅଧିକ କବି କବିତା ପାଠ କରିଥିବା ବେଳେ କବିତାର ସମୀକ୍ଷା କରିଥିଲେ କବି ଗୋଦାବରୀଶ ମିଶ୍ର।

ଏହି ସାରସ୍ବତ ସମାବେଶରେ ବୈକୁଣ୍ଠ ନାଥ ମହାପାତ୍ରଙ୍କ ପୁସ୍ତକ ‘ ସ୍ତୁତି ସ୍ମୃତି ଶ୍ରୁତି ‘ ଲୋକାର୍ପିତ ହେବାସହ ବିଶିଷ୍ଟ କଥାକାର ଡ.ପ୍ରାଣକୃଷ୍ଣ ବେହେରାଙ୍କୁ ପଣ୍ଡିତ ବିନାୟକ ମିଶ୍ର ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରୁ କାମାକ୍ଷ ପ୍ରସାଦ ଦାଶ, ନରେନ୍ଦ୍ର ସାହୁ, ସ୍ମୃତିରଂଜନ ମାନସିଂହଙ୍କ ପରିଚାଳନାରେ ୮ ଟି ବିଦ୍ୟାଳୟ ତଥା ମହାବିଦ୍ୟାଳୟର ପ୍ରାୟ ୫୦ ଜଣ +୨,+୩ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା,ସାଧାରଣ ଜ୍ଞାନ, ସ୍ବରଚିତ କବିତା ପାଠ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

Related posts