ପଣ୍ଡିତ ବିନାୟକ ମିଶ୍ରଙ୍କ ଜନ୍ମସ୍ଥାନ ଶରଣକୁଳ (ମାଳିସାହି), ଜନ୍ମ -୧୮୯୪, ଗଣେଶ ଚତୁର୍ଥୀ, ଦେହାନ୍ତ-୦୫ ଅଗଷ୍ଟ ୧୯୭୧
ନୟାଗଡ଼,(ନୟାଗଡ଼ ଦର୍ପଣ): ଶିକ୍ଷାଗତ ଯୋଗ୍ୟତା ମାତ୍ର ସପ୍ତମ ଶ୍ରେଣୀ ଓ କଟକ ନର୍ମାଲ୍ ଟ୍ରେନିଂ ପାସ୍। ‘କାବ୍ୟ ଶାସ୍ତ୍ରବିନୋଦେନ କାଳୋଗଚ୍ଛତି ଧୀମତାମ୍ ‘ ସାରା ଜୀବନ ଶାସ୍ତ୍ର ଚର୍ଚ୍ଚାରେ କଟିଥିଲା ପଣ୍ଡିତ ବିନାୟକ ମିଶ୍ରଙ୍କର।ପ୍ରଥମରୁ ଯଦିଓ କବିତା, ଗଳ୍ପ ଲେଖୁଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ଭାଷା, ସାହିତ୍ୟର ଗବେଷକ ଭାବେ ଖ୍ୟାତି ଅର୍ଜନ କରିଥିଲେ।ତାଙ୍କ ରଚିତ ପୁସ୍ତକ ଗୁଡ଼ିକ ହେଉଛି – ଗଜପତି ଜେମା, ଉପେନ୍ଦ୍ର ଭଞ୍ଜ (ଯାତ୍ରା ପୁସ୍ତକ); ବରଣମାଳା(କବିତା ପୁସ୍ତକ); ଓଡ଼ିଆ ଭାଷାର ଇତିହାସ, ଓଡ଼ିଆ ସାହିତ୍ୟର ଇତିହାସ, ଓଡ଼ିଆ ସାହିତ୍ୟ ପ୍ରକାଶ (୧ମ,୨ୟ), ଭାରତୀୟ ଦର୍ଶନ ପ୍ରବେଶିକା, Dynasties of Medieval Orissa, Orissa under Bhauma king,Indian culture and cult of Jagannath ଇତ୍ୟାଦି।
ତାଙ୍କ ରଚିତ ଓଡ଼ିଆ ସାହିତ୍ୟର ଇତିହାସ ବହିଟି ବିକ୍ରୀ ନହେବାରୁ ଅଭିମାନରେ ବହିସବୁକୁ ଗୋଟେ ରିକ୍ସା ଦ୍ୱାରା କାଠଯୋଡି ବନ୍ୟାପାଣିରେ ଭସାଇ ଦେବାକୁ ଯାଉଥିବା ବେଳେ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରରୋଚନାରେ ଏଥିରୁ ନିବୃତ ହୋଇଥିଲେ। ସେତେବେଳେ ଓଡ଼ିଶାରେ ଓଡ଼ିଆ ଏମ୍ . ଏ .କି ଅନର୍ସ ଶ୍ରେଣୀ ନଥିଲା, ପରବର୍ତ୍ତୀ ସମୟରେ ଏ ବିଭାଗ ଖୋଲିବାପରେ ପଣ୍ଡିତ ବିନାୟକ ମିଶ୍ରଙ୍କ ବହିର ଅନେକ ସଂସ୍କରଣ ହୋଇଥିଲା।ସେ ଥିଲେ ସ୍ୱାଭିମାନୀ,ଶେଷ ଜୀବନରେ ସାଂଘାତିକ ଆର୍ଥିକ ସଂକଟରେ ଥାଇ ମଧ୍ୟ କାହାପାଖରେ ହାତପାତୁନଥିଲେ ।
କିଏ ତାଙ୍କ ପାଖକୁ ଆର୍ଥିକ ସହଯୋଗ ପଠାଉଥିଲେ ସେ ନିଜ ଲେଖା ଛପାବହି ପଠାଇଦେଉଥିଲେ। ନିଜର ଅସାଧାରଣ ପାଣ୍ଡିତ୍ୟ ଯୋଗୁଁ ସାର ଆଶୁତୋଷ ଙ୍କ ଉଦ୍ୟମକ୍ରମେ ଆବଶ୍ୟକୀୟ ଶିକ୍ଷାଗତ ଯୋଗ୍ୟତା ନଥାଇ ମଧ୍ୟ କଲିକତା ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପକ ଭାବେ ନିଯୁକ୍ତି ପାଇଥିଲେ।ମାସିକ ବେତନ ଥିଲା ୫୦ ଟଙ୍କା। ୧୯୪୯ ମସିହାରେ ଅବସର ଗ୍ରହଣ କରିଥିଲେ। ନିଜ ଶେଷ ଜୀବନରେ ହାତ ଭାଙ୍ଗିଯିବାରୁ ନୟାଗଡ଼ ଲିଙ୍ଗରାଜ ଦାସଙ୍କ ଘରେ ଆଶ୍ରୟ ନେଇଥିଲେ।
