ନୟାଗଡ଼ ମୁନିସିପାଲିଟି ପକ୍ଷରୁ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସମସ୍ତ ଏନ୍‌ଏସି ସହିତ ନୟାଗଡ଼ ମୁନିସିପାଲିଟି ପକ୍ଷରୁ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ-2022 ମହାସମାରୋହରେ ପାଳିତ ହୋଇଯାଇଛି। ନୟାଗଡ ସହରସ୍ଥିତ ପଠାଣି ସାମନ୍ତ ସାଂସ୍କୃତିକ ଭବନରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲାପାଳ ଡ. ପୋମା ଟୁଡୁ, ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋରଚନ୍ଦ୍ର ସାହୁ, ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ଉନ୍ନୟନ ଅଧିକାରୀ ସୁବାସ ଚନ୍ଦ୍ର ରାୟ ଅତିଥି ଭାବେ ଯୋଗଦେଇଥିଲେ। ମୁନିସିପାଲିଟି ଅଧ୍ୟକ୍ଷା ନିରୂପମା ଖଟେଇ ସଭାରେ ଅଧ୍ୟକ୍ଷତା କରିଥିଲେ।

ନୟାଗଡ଼ ସହରରେ ଟ୍ରାଫିକ ସମସ୍ୟା ଏକ ପ୍ରମୁଖ ସମସ୍ଯାଭାବେ ଉଭା ହୋଇଥିବା ବେଳେ ଏହି ସମସ୍ୟା ଖୁବ୍ ଶୀଘ୍ର ଦୂର ହେବ ବୋଲି ବିଧାୟକ ଓ ଜିଲ୍ଲାପାଳ ଉଭୟ ତାଙ୍କ ବକ୍ତବ୍ୟରେ କହିଥିଲେ। ବଡ଼ପଣ୍ଡୁସରଠାରୁ ମାଙ୍କପଲ୍ଲୀ ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବା ବାଇପାସ୍ ରାସ୍ତାର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଜମି ଅଧିଗ୍ରହଣ ତଥା କ୍ଷତିପୂରଣ ଆଦି ବାବଦରେ ଲୋକଙ୍କୁ ୧୩୫ କୋଟି ଟଙ୍କା ଦେବାର ଥିବା ବେଳେ, ପ୍ରାୟ ୫୦କୋଟି ଟଙ୍କା ଦିଆସରିଛି। ଖୁବ୍ ଶୀଘ୍ର ବାଇପାସ୍ ନିର୍ମାଣ କାମ ଆରମ୍ଭ ହେବ ବୋଲି ବିଧାୟକ ଓ ଜିଲ୍ଲାପାଳ ଘୋଷଣା କରିଥିଲେ। ଫଳରେ ସହରରୁ ଟ୍ରାଫିକ ସମସ୍ୟା ଦୂର ହେବ । ଦିନକୁ ଦିନ ନୟାଗଡ଼ ସହରର କଳେବର ବୃଦ୍ଧି ସହ ଏକ ଉନ୍ନତ ସହରରେ ଜୀବନଯାପନ କଲା ଭଳି ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଉଛି। ଶୌଚାଳୟଠାରୁ ଆରମ୍ଭ କରି ପାର୍କ, ପୁଷ୍କରିଣୀ ଯେକୌଣସି ପ୍ରକଳ୍ପ ହୋଇଛି, ତାହାର ରକ୍ଷଣାବେକ୍ଷଣ ନେଇ ପ୍ରତ୍ୟେକ ନାଗରିକ ସଚେତନ ହେବା ଆବଶ୍ୟକ। ସରକାରୀ ଅଧିକାରୀ ଚାହିଁଲେ ବି ସବୁ କିଛି କରିପାରିବେ ନାହିଁ, ତେଣୁ ନିଜ ଘରର ଯତ୍ନ ନେବା ଭଳି ସହରର ଯତ୍ନ ନେବାକୁ ବିଧାୟକ ସମସ୍ତ ନାଗରିକଙ୍କୁ ନିବେଦନ କରିଥିଲେ।

ପ୍ରାୟ ଦଶବର୍ଷ ତଳେ ନୟାଗଡ଼ ସହରକୁ କଣ୍ଟିଲୋ ମହାନଦୀରୁ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ହୋଇଥିଲା। ବର୍ତ୍ତମାନ ଏହା ଯଥେଷ୍ଟ ହେଉନାହିଁ। ଏନେଇ ୫୨ କୋଟି ଟଙ୍କା ଆସିଛି, ଆହୁରି ୯ଟି ବୃହତ ଷ୍ଟୋରେଜ ନିର୍ମାଣ ହେବ । ପ୍ରତ୍ୟେକ ଘରକୁ ପାଣି ସଂଯୋଗ କରାଯିବ ବୋଲି ବିଧାୟକ ଘୋଷଣା କରିଥିଲେ। ନୟାଗଡ଼ ସହରର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ସିସି କ୍ୟାମେରା ଲାଗିଛି, ଖୁବଶୀଘ୍ର ସାରା ସହରକୁ ସିସି କ୍ୟାମେରା ନିୟନ୍ତ୍ରଣରେ ରଖାଯିବାର ବନ୍ଦୋବସ୍ତ ହେଉଥିବା ବେଳେ ଏନେଇ ପୁରୁଣା ସଦର ଥାନାକୁ ସିସିଟିଭି ନିୟନ୍ତ୍ରଣ କକ୍ଷ କରିବାକୁ ଜିଲ୍ଲାପାଳ ବ୍ୟବସ୍ଥା କରିଛନ୍ତି। ସହରରେ ଏଭଳି ଆହୁରି ଉନ୍ନତିମୂଳକ କାମ ହେବାକୁ ଯାଉଥିବା ବେଳେ ନିର୍ମାଣାଧୀନ ବଲାଙ୍ଗୀପାର୍କ ନୟାଗଡ଼ ଜିଲ୍ଲାର ନୂତନ ପରିଚୟ ହେବାକୁ ଯାଉଥିବା ସଭାରେ ମତପ୍ରକାଶ ପାଇଥିଲା । ପ୍ରତ୍ୟେକ ପ୍ରକଳ୍ପରେ କେତେ ଟଙ୍କା ଖର୍ଚ୍ଚ ହେଉଛି, କିଏ କାମ କରୁଛି, କାମ କେବେ ଶେଷ ହେବ ସେ ବାବଦରେ ସମସ୍ତ ପ୍ରଚାରପତ୍ର ଛପାଇ ସେହି ଅଞ୍ଚଳର ଲୋକଙ୍କୁ ବାଣ୍ଟିବାକୁ ବିଧାୟକ ଆହ୍ବାନ ଦେଇଥିଲେ। ଏହା କରାଗଲେ ପ୍ରତ୍ୟେକ କାମରେ ସ୍ବଚ୍ଛତା ରହିବ, ପ୍ରକଳ୍ପ ବାବଦରେ ସବିଶେଷ ତଥ୍ୟ ଥିବାରୁ ଜନସାଧାରଣ ତ୍ରୁଟି ମଧ୍ୟ ଧରିପାରିବେ। ଏହା କରାଗଲେ ସାୟତ୍ତଶାସନ ଦିବସ ପାଳନର ଉଦ୍ଦେଶ୍ୟ ସଫଳ ହୋଇପାରିବ ବୋଲି ବିଧାୟକ କହିଥିଲେ।

ପୌର ପରିଷଦ ପକ୍ଷରୁ ସ୍ୱାୟତ ଶାସନ ଦିବସ ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ମାନ କରଯାଇଥିଲା। ସେଥିରେ ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ସେହି ପ୍ରତିଯୋଗୀତାର ବିଚାରକ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରଯାଇଥିଲା। ସେହିଭଳି ସହରର ଟିକିନିଖି ସୁବିଧା ଅସୁବିଧାକୁ ଖବରକାଗଜରେ ସ୍ଥାନଦେଇ ଲୋକଙ୍କ ସମସ୍ୟା ସରକାରଙ୍କ ନିକଟରେ ଏବଂ ସରକାରଙ୍କ ଜନହିତକର କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଉ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଧ୍ୟକ୍ଷା, ଉପାଧ୍ୟକ୍ଷ ସ୍ୱତନ୍ତ୍ର ଭାବେ ଉପଢୌକନ ଦେଇ ସମର୍ଦ୍ଧିତ କରିଥିଲେ। ଏହି ଅବସରରେ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ମିସ ସ୍ବାତୀ ମିଶ୍ର ବିବରଣୀ ପାଠ କରିଥିଲେ। ସମସ୍ତ କାଉନସିଲର ବୃନ୍ଦ ମଞ୍ଚାସୀନ ଥିଲେ। ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ମୁନିସିପାଲିଟି କର୍ମଚାରୀଗଣ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Related posts