ଓଡ଼ଗାଁ,(ନୟାଗଡ଼ ଦର୍ପଣ): ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ରାଜ୍ୟରେ ଅହିଂସା ରଥ ପରିଭ୍ରମଣ କରୁଛି। ସଂଗ୍ରାମ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନକୁ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସମଗ୍ର ରାଜ୍ୟ ପରିକ୍ରମା କରିବା ଲକ୍ଷ୍ୟରେ ପ୍ରସ୍ତୁତ ଅହିଂସାରଥ ଆଜି ଓଡ଼ଗାଁ ବ୍ଳକ ସମ୍ମୁଖ କଲ୍ୟାଣ ମଣ୍ଡପ ନିକଟରେ ପହଁଚିଥିଲା।
ଆଜି ଦିନ ୩ଟା ସମୟରେ ଅହିଂସା ରଥ ରଣପୁର ବ୍ଲକରୁ ବାହାରି ଓଡ଼ଗାଁ ବ୍ଲକର ଗୋଡ଼ିପଡା ପଂଚାୟତ କାର୍ଯ୍ୟାଳୟରେ ପହଂଚିଥିଲା। ସେଠାରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ସେଠାରୁ ଶରଣକୁଳ ଅଡିଟୋରିୟମରେ ପହଂଚିବା ପରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ସ୍ବାଗତ କରିଥିଲେ। ଏହାପରେ ଅହିଂସା ରଥ ଓଡ଼ଗାଁ ଅଭିମୁଖେ ଯାତ୍ରା କରି ଓଡ଼ଗାଁ କଲ୍ୟାଣି ମଣ୍ତପରେ ପହଂଚିବା ପରେ ତାଙ୍କୁ ବିପୁଳ ସ୍ବାଗତ ସଂମ୍ବର୍ଦ୍ଧନା ଦିଆଯାଇଥିଲା।
ନୟାଗଡ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ,ଓଡ଼ଗାଁ ବିଡିଓ ସ୍ଵାତୀଲେଖା ଦାସ, ତହସିଲଦାର ବିଜୟିତା ସାମନ୍ତସିଂହାର, ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଗୋତିସାହି ସରପଞ୍ଚ ଦୀପ୍ତି ରଞ୍ଜନ ପରିଡ଼ା, କୁରାଳ ସରପଞ୍ଚ ବିଜନ ପାଇକରାୟ, ଗୌଡପୁଟ କୋଅପରେଟିଭ ସଭାପତି ନିତ୍ୟାନନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତରହି ରଥକୁ ସ୍ଵାଗତ କରିଥିଲେ।
ଅଙ୍ଗନବାଡି କର୍ମୀ, ଆଶା କର୍ମୀ,ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ଵାରା ଦେଶାତ୍ମବୋଧକ ସଙ୍ଗୀତ ଗାନ କରାଯାଇଥିବା ବେଳେ ସ୍ଥାନୀୟ ବିଦ୍ୟାଳୟ ଛାତ୍ରୀମାନେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଭିଡିଓ ସ୍କିନିଂ ମାଧ୍ୟମରେ ବାଜି ରାଉତ, ମହାତ୍ମା ଗାନ୍ଧୀଙ୍କ ବାବଦରେ ପ୍ରଦର୍ଶନ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାରିଦ୍ର୍ୟ ଓ ସାମାଜିକ ଅବିଚାରକୁ ମଧ୍ୟ ହିଂସା ଭାବରେ ଅଭିହିତ କରି ଦାରିଦ୍ର୍ୟ ଦୂରୀକରଣ ଓ ଶାନ୍ତି ବଳରେ ସ୍ବାଧୀନତାର ମୂଲ୍ୟ ଅଧିକ ପ୍ରତିଷ୍ଠିତ ହେବା ସହ ପ୍ରଗତି ହାସଲ କରାଯାଇପାରିବ ନିଜ ବାର୍ତ୍ତାରେ କହିଛନ୍ତି।
ଭାରତର ସ୍ବାଧୀନତା ଆନ୍ଦୋଳନରେ ଅହିଂସା ପଥ ମାର୍ଗରେ ମହାତ୍ମା ଗାନ୍ଧୀଙ୍କ ଡ଼ାକରାରେ ଭାରତବାସୀ ଏକଜୁଟ ହୋଇଥିଲେ। ତେଣୁ ଭାରତର ସେହି ଅଖଣ୍ଡତା ଅହିଂସା ପଥକୁ ମନେ ପକାଇବା ପାଇଁ ଏ ଅହିଂସା ରଥ ପରିକ୍ରମା କରୁଛି ବୋଲି ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ କହିଥିଲେ। ଏହାପରେ ଅହିଂସାରଥ ସମଗ୍ର ଓଡ଼ଗାଁ ସହର ପରିକ୍ରମା କରିବାସହ ଭିଡିଓ ପ୍ରଦର୍ଶନ କରାଯାଇଥିଲା। ମଗରବନ୍ଧ ପଂଚାୟତ ପରିଭ୍ରମଣ କରିବା ପରେ ଦରପଦା ଠାରେ ବିଦାୟକାଳିନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।