ଜିଲ୍ଲା ଶିକ୍ଷା ଅଧିକାରୀ ଅସଦ ଉପାୟରେ ଲୁଟିଲେଣି ୬୦ଲକ୍ଷରୁ ଉର୍ଦ୍ଧ୍ବ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ସମ୍ପୁର୍ଣ୍ଣ ବିପର୍ଜ୍ୟସ୍ତ। ଜିଲ୍ଲାର ଉପାନ୍ତ ଅଞ୍ଚଳ ଦଶପଲ୍ଲା, ଗଣିଆ, ରଣପୁର, ଭାପୁର, ଓଡଗାଁ ଅଞ୍ଚଳର ବିଭିନ୍ନ ଉଚ୍ଚ ବିଦ୍ୟାଳୟମାନଙ୍କରେ ଶିକ୍ଷକ ଅଭାବକୁ ପୂରଣ କରାଯାଇ ପାରୁନଥିବା ବେଳେ ପୁଣି ସେଠାରୁ ୫୦ହଜାର ଟଙ୍କା ଆଦାୟ କରାଯାଇ ଶିକ୍ଷକମାନଙ୍କୁ ନୟାଗଡ ସହରର ଆଖପାଖ ଅଞ୍ଚଳର ବିଭିନ୍ନ ଉଚ୍ଚ ବିଦ୍ୟାଳୟକୁ ଡେପୁଟେସନରେ ଅଣାଯାଉଛି ବୋଲି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ।
ଏହି ମର୍ମରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ଲିଖିତ ଚିଠିରେ ଦର୍ଶାଯାଇଛି, ଆବଶ୍ୟକ ଶିକ୍ଷକ ପଦବୀ ନଥିବା ନୟାଗଡ ସହରର ୧୦ କିଲୋମିଟର ପରିଧି ମଧ୍ୟରେ ଥିବା ଉଚ୍ଚ ବିଦ୍ୟାଳୟରେ ଅଧିକ ଶିକ୍ଷକ ନିଯୁକ୍ତି ଦିଆଯାଉଛି । ଜିଲ୍ଲାର ଅଶିଟି ଘରୋଇ ବିଦ୍ୟାଳୟ କୁ NOC ଦେବା ବାହାନାରେ ୧୦ ରୁ ୨୦ ହଜାର ଟଙ୍କା ଆଦାୟ କରାଯାଉଛି । ଏଭଳି ଅସଦ ଉପାୟ ମାଧ୍ୟମରେ ଜିଲ୍ଲା ଶିକ୍ଷାଧିକାରୀ ତାଙ୍କ ସ୍ୱଳ୍ପ କାର୍ଯ୍ୟକାଳଭିତରେ ପ୍ରାୟ ୬୦ଲକ୍ଷରୁ ଉର୍ଦ୍ଧ ଟଙ୍କା ନୟାଗଡ଼ରୁ ଲୁଟିସାରିଲେଣି ବୋଲି ଅଭିଯୋଗ ହେଉଛି । ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟକାଳ ଭିତରେ ନୟାଗଡ ସହର ଆଖ ପାଖରେ କେତେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି ଏବଂ କେତେ ଶିକ୍ଷକ ଙ୍କୁ ଏଠାକୁ ଡେପୁଟେସନରେ ଅଣାଯାଉଛି ତାହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସତ୍ୟଉନ୍ମୋଚନ ହୋଇପାରିବ ଏବଂ ଶିକ୍ଷକ ମାନଙ୍କୁ ଡେପୁଟେସନରେ ନୟାଗଡ ର ଆଖପାଖ ସ୍କୁଲକୁ ଆଣିବା ପାଇଁ ଜିଲ୍ଲାପାଳଙ୍କ ଅନୁମତି ନିଆଯାଉ ନାହିଁ । ଜିଲ୍ଲାର ଆଦିବାସୀ ଅଦୁଷିତ ଉପାନ୍ତ ଅଞ୍ଚଳରେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉନଥିବାରୁ ଅଭିଭାବକ ମାନେ ବାରମ୍ବାର ବ୍ଲକ ଶିକ୍ଷାଧିକାରୀ ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ ତାହାର ସମାଧାନ କରାଯାଉ ନାହିଁ । ଦୃଷ୍ଟାନ୍ତ ସ୍ୱରୂପ ବାଲୁଗାଁ ଚଣ୍ଡୀ ହାଇସ୍କୁଲରେ ଖାଲି ପଡିଥିବା ପଦବୀ ଗୁଡିକ ପୂରଣ ନକରାଯାଇ ଅନାବଶ୍ୟକ ଶିକ୍ଷକ ନିଯୁକ୍ତି ଦିଆଯାଇଛି । ସଜନାପଡାରେ କ୍ରିଡା ଶିକ୍ଷକର ଆବଶ୍ୟକତା ନଥିବା ବେଳେ ସେଠାରେ କ୍ରିଡା ଶିକ୍ଷକ ନିଯୁକ୍ତି ଦିଆଯାଇଛି । ଆଙ୍କୁଲେଇ ହାଇସ୍କୁଲ ରାଜପାଟଣା, କାଳନ୍ଦିସୁରୁଜ ବିଦ୍ୟାପୀଠ ବିରୁଡା, ସଜନପଡା, ବଡପଣ୍ଡୁସରରେ ମଧ୍ୟ ଅନୁରୂପ ଅବସ୍ଥା । ରାସଙ୍ଗ ଛାମୁଣ୍ଡିଆ ଅଞ୍ଚଳରୁ ଶିକ୍ଷକଙ୍କୁ ଡେପୁଟେସନରେ ଆଣି ନୟାଗଡ ସରକାରୀ ବାଳିକା ବିଦ୍ୟାଳୟ ଏବଂ ନବଘନପୁର ହାଇସ୍କୁଲରେ ନିଯୁକ୍ତି ଦିଆଯାଇଛି ଏପରି ଅନେକ ଯାହା ତଦନ୍ତ କଲେ ଜଣାପଡିବ । ନୟାଗଡ ସହର ନିକଟସ୍ଥ ଜାତୀୟ ରାଜପଥ କଡରେ ଥିବା ସିନ୍ଦୂରିଆ ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟରେ ଆବଶ୍ୟକୀୟ ସ୍କୁଲ ଗୃହ ନାହିଁ ଯାହାଫଳରେ ପିଲାମାନେ ବାରଣ୍ଡାରେ ବସି ପାଠ ପଢୁଥିବାରୁ ଅଭିଭାବକମାନେ ଘୋର ଅସନ୍ତୁଷ୍ଟ ପ୍ରକାଶ କରି ଏହି ସ୍କୁଲକୁ 5T ରୂପାନ୍ତରିକରଣ କରିବା ପାଇଁ ଆନ୍ଦୋଳନ ଧମକ ଦେଇଛନ୍ତି । ଜିଲ୍ଲା ଶିକ୍ଷାଧିକାରୀଙ୍କ ବିଭିନ୍ନ ବେଆଇନ କାର୍ଯ୍ୟ, ଲାଞ୍ଚଖୋର ମନବୃତ୍ତି ପାଇଁ ଜିଲ୍ଲାରେ ଶିକ୍ଷାବ୍ୟବସ୍ଥା ଭୁସୁଡି ପଡିଛି । ଏଣୁ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ଘୋର ଉଦବେଗ ପ୍ରକାଶ କରି ଜିଲ୍ଲାରେ ଶିକ୍ଷାର ସୁଧାର ଆଣିବା ପାଇଁ ମାନ୍ୟବର ମନ୍ତ୍ରୀଙ୍କ ହସ୍ତକ୍ଷେପ ଅନୁରୋଧ କରୁଛି ।
