ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଆ ସଙ୍ଗୀତ ଜଗତର ବାଦଶାହା, ସହିତ୍ୟିକ ତଥା ସ୍ତମ୍ଭକାର ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସନ୍ଧ୍ୟା ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମ ସମ୍ମୁଖ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ମୈତ୍ରୀଯୁବ ସଂସଦ, ସୁଧା ସାଂସ୍କୃତିକ ପରିଷଦ, ଶ୍ରୀ ସୃଜନ, କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ, ପରମ୍ପରା ସାହିତ୍ୟ ଓ ସଂସ୍କୃତି ପରିଷଦ ଓ ରାଗେଶ୍ରୀ ନୀଳୟମ, ମା’ ଫାଉଣ୍ଡେସନ ଏବଂ ଆର୍ଟ ପଏଣ୍ଟର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ସଙ୍ଗୀତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ବିଭିନ୍ନ କଣ୍ଠଶିଳ୍ପୀମାନେ ସଙ୍ଗୀତ ପରିବେଷଣ କରିଥିଲେ।
ସେମାନଙ୍କ ମଧ୍ୟରେ ବେତାର କଣ୍ଠଶିଳ୍ପୀ ନବକିଶୋର ମିଶ୍ର, ପ୍ରଶାନ୍ତ କୁମାର ଦାଶ, ଜଗଦୀଶ ରଥ, ଗୁରୁ ପ୍ରଭାତ ଦାଶ, ଜୟଶ୍ରୀ ଦେବୀ, ଡ଼ଃ ଆଶୁତୋଷ ମିଶ୍ର, ଦିଲୀପ ମହାପାତ୍ର, ଅନିତା ରାମ, ଡ଼ଃ ଗଣେଶ ମିଶ୍ର, ବିଜୟାନନ୍ଦ ମହାପାତ୍ର ପ୍ରମୁଖ ପ୍ରଫୁଲ କରଙ୍କ ସଙ୍ଗୀତ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ବାନ୍ଧି ରଖିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ନାଟ୍ୟଧାରା ସଭାପତି ପ୍ରମୋଦ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ନାଟ୍ୟକାର ଡ଼ଃ ବିଜୟ ଚୌଧୁରୀ, ବିଶ୍ୱନାଥ ମହାପାତ୍ର, ନିର୍ମଳ ଶୁରଦେଓ, ପ୍ରଦୀପ ସାହୁ, ଲଷ୍ମୀଧର ମହାପାତ୍ର, କିଷାନ ଦାସ, ରଞ୍ଜନ ରଶ୍ମି ଜେନା, ଶିକ୍ଷକ ବସନ୍ତ ମିଶ୍ର, ଶେଖ ଅବଦୁଲ ଖାଲିକ ପ୍ରମୁଖ ସ୍ବର୍ଗତ ପ୍ରଫୁଲ କରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଏବଂ ପ୍ରଦୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସଙ୍ଗୀତ କାର୍ଯ୍ୟକ୍ରମକୁ କବି ଅଶୋକ ମଲ୍ଲ ଏବଂ ଗୋପୀନାଥ ସେଠୀ ସଂଯୋଜନା କରିଥିବା ବେଳେ ଅଡିଟୋରିଆମ ପ୍ରାଙ୍ଗଣରେ ଉପସ୍ଥିତ ସଙ୍ଗୀତପ୍ରେମୀମାନେ ବେଶ ଉପଭୋଗ କରିଥିଲେ।