ରଣପୁର,(ନୟାଗଡ଼ ଦର୍ପଣ): ପ୍ରଜାମେଳି ଆନ୍ଦୋଳନର ପୁରୋଧା, ସ୍ଵତନ୍ତ୍ରତା ସେନାନୀ, ବେଜେଲଗେଟ ଭଳି ଅତ୍ୟାଚାରୀ ଇଂରେଜ ଶାସକ ବିରୁଦ୍ଧରେ ଲଢ଼େଇ କରି ଆଜିର ଦିନରେ ଫାଶି ପାଇଥିବା ରଣପୁର ଅଞ୍ଚଳର ଗୌରବ ସହିଦ୍ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଗଲା। ବିଭିନ୍ନ ସ୍ଥାନରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ବିଧାୟକ ସତ୍ୟନାରାୟଣ ପ୍ରଧାନ, ରଣପୁରର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଏପରି କାର୍ଯ୍ୟକ୍ରମମାନଙ୍କରେ ସାମିଲ ହୋଇଥିଲେ । ସହିଦ ରଘୁନାଥ ମହାନ୍ତି ୧୯୧୪ ମସିହା ଜୁଲାଇ ମାସ ୦୧ ତାରିଖରେ ବାଦଭୂଇଁ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ବେଳେ ସ୍ଥାନୀୟ ଗଡବାଣିକିଲୋ ଗ୍ରାମରେ ୧୯୧୧ ମସିହା ନଭେମ୍ବର ୩୦ ତାରିଖରେ ଦିବାକର ପରିଡା ଜନ୍ମ ଗ୍ରହଣ କରିଥିଲେ । ବେଜେଲଗେଟଙ୍କୁ ହତ୍ୟା କରିବା ଅପରାଧରେ ୧୯୪୧ ମସିହା ଏପ୍ରିଲ ୪ ତାରିଖରେ ବିହାରର ଭାଗଲପୁର ଜେଲରେ ଦୁହିଁଙ୍କୁ ଫାସୀ ଖୁଣ୍ଟରେ ଝୁଲେଇ ଦିଆଯାଇଥିଲା। ଏହି ଦିବସକୁ ମନେ ପକାଇ ପ୍ରତିବର୍ଷ ଏପ୍ରିଲ ୪ ତାରିଖକୁ ଫାଶୀ ଦିବସ ଭାବେ ପାଳନ କରାଯାଉଛି ।

ଆଜି ରଣପୁର ବ୍ଲକ ଅଧକ୍ଷ୍ୟା ନିର୍ମଳା ବେହେରା, ବିଜେପିର ଜ଼ିଲ୍ଲା ସମ୍ପାଦକ ତାପସ ରଞ୍ଜନ ମାର୍ଥା, ବିମଳ ବେହେରା, ପ୍ରମୋଦ ସାହୁ, ଆଲୋକ ବେହେରା, ବସନ୍ତ, ବାବୁଲା କନ୍ଧନୟାଗଡ଼ ଠାରେ ରଘୁ -ଦିବାକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
