ଦଶପଲ୍ଲା,(ନୟାଗଡ଼ ଦର୍ପଣ): କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡ଼ିକ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଆହୂତ ଦୁଇ ଦିନିଆ ଦେଶବ୍ୟାପୀ ସାଧାରଣ ଧର୍ମଘଟର ଦ୍ୱିତୀୟ ଦିବସରେ ମଧ୍ୟ ଦଶପଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ସକାଳୁ ସକାଳୁ କୃଷକ ଓ ଶ୍ରମିକ ସଂଗଠନର କର୍ମୀମାନେ ଦଶପଲ୍ଲା ବ୍ଲକ ସମ୍ମୁଖ ୫୭ ନମ୍ବର ଜାତୀୟ ରାଜପଥ ଉପରେ ଧାରଣା ଦେଇ ବସି ରହିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଯାନବାହନ ଅଟକି ରହିଥିବାର ଦେଖିବାକୁ ମିଳିଥିଲା। ସେହିଭଳି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ସମ୍ମୁଖରେ ଆନ୍ଦୋଳନକାରୀମାନେ ପିକେଟିଂ କରିବା ଫଳରେ ସ୍ଥାନୀୟ ବିଚାର ବିଭାଗ ଅଦାଲତ, ତହସିଲ ଅଫିସ୍, ସବ ରେଜିଷ୍ଟ୍ରାର ଅଫିସ୍, ଟ୍ରେଜେରି ଅଫିସ୍, ଷ୍ଟେଟ ବ୍ୟାଙ୍କ, ବ୍ଲକ କାର୍ଯ୍ୟାଳୟ, ଜୀବନ ବୀମା ଅଫିସ୍, ବିଭିନ୍ନ ଜାତୀୟକରଣ ବ୍ୟାଙ୍କ ସମେତ ଡାକଘର, ବିଦ୍ୟୁତ୍ ଓ ଟେଲିଫୋନ ଅଫିସ୍ ବନ୍ଦ ରହିବା ସହ ବିଦ୍ୟାଳୟ ଗୁଡ଼ିକ ମଧ୍ୟ ବନ୍ଦ ରହି ଥିବାର ଦେଖିବାକୁ ମିଳିଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ସି.ଆଇ.ଟି.ୟୁ ଏବଂ ଅଖିଳ ଭାରତ କୃଷକ ସଭାର କର୍ମୀମାନେ ଯୋଗଦେଇଥିବା ଦେଖିବାକୁ ମିଳିଥିଲା। ଉକ୍ତ ଆନ୍ଦୋଳନର ନେତୃତ୍ୱ ସି .ଆଇ.ଟି.ୟୁର ନୟାଗଡ଼ ଜିଲ୍ଲା ସମ୍ପାଦକ ଶରତ ଚନ୍ଦ୍ର ବେହେରା, ସି.ଆଇ.ଟି.ୟୁ ତଥା ମଧ୍ୟାହ୍ନ ଭୋଜନ ପାଚିକା ସଂଘର ଜିଲ୍ଲା ସମ୍ପାଦିକା ଜୟନ୍ତୀ ଦାସ, ବ୍ଲକ ସମ୍ପାଦିକା କସ୍ତୁରୀ ପରିଡ଼ା, ରଞ୍ଜିତା ବିଶୋଇ, ଗୋଲାପ ପେଣ୍ଠି ଏବଂ କୃଷକ ସଭାର ବ୍ଲକ ସଭାପତି ବ୍ରଜ ବନ୍ଧୁ ପ୍ରଧାନ, ସମ୍ପାଦକ ଗଣେଶ୍ୱର ନାୟକ, ବିରଞ୍ଚି ନାୟକ, ମନୋଜ ନାୟକ ଓ ତ୍ରିନାଥ ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ। ଏହି ସାଧାରଣ ଧର୍ମଘଟର ସଫଳତା ତଥା ଜନ ସମର୍ଥନ ସରକାରଙ୍କ ଜନବିରୋଧୀ କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ଚାପ ସୃଷ୍ଟି କରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।