ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱ ନାଟ୍ୟ ଦିବସ ଉପଲକ୍ଷେ ନୟାଗଡ଼ ନାଟକର ଯଜ୍ଞଶାଳା ‘ନାଟ୍ୟଧାରା’ ପକ୍ଷରୁ ଏକ ଆଲୋଚନା ଚକ୍ର ନୟାଗଡ଼ ସହର ଉପକଣ୍ଠ ମୁକ୍ତାପୁର ନିକଟସ୍ଥ ଶୁଭମ ପାର୍କଠାରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ସଭାପତି ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନା ଚକ୍ର ‘ବିଶ୍ୱରେ ଯେତେ ବିଧିମତ, ମଞ୍ଚରେ ଅଛନ୍ତି ସମସ୍ତ’ ଉପରେ ଉପସ୍ଥିତ ଅତିଥିମାନେ ଆଲୋଚନା କରିଥିଲେ । ନାଟ୍ୟଧାରା ପକ୍ଷରୁ ଚଳିତ ମାସ ୧ରୁ ୮ତାରିଖ ପର୍ଯ୍ୟନ୍ତ ଦୀର୍ଘ ୮ଦିନ ଧରି ନୟାଗଡ଼ରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ନାଟକ ଉତ୍ସବ ବେଶ ଲୋକପ୍ରିୟତା ହାସଲ କରିଥିବା ନେଇ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିବା ସହିତ ଆଗାମୀ ଦିନରେ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସୁଚିନ୍ତିତ ମତାମତ ଉପସ୍ଥାପିତ କରିଥିଲେ । ନାଟ୍ୟଧାରାର ନିର୍ଦ୍ଦେଶକ ନାଟ୍ୟଭୂଷଣ ଡ. ବିଜୟ କୁମାରେ ଚୌଧୁରୀ ନାଟକ ଉତ୍ସବର ଆୟବ୍ୟୟ ସମୀକ୍ଷା କରିବା ସହିତ ନାଟକ ଉତ୍ସବର ସଫଳତା ଏବଂ ଲୋକପ୍ରିୟତା ଆଗାମୀ ବର୍ଷ ନାଟକ ଉତ୍ସବ ପାଳନ ପାଇଁ ଅଧିକ ଉତ୍ସାହିତ ତଥା ପ୍ରେରଣା ପ୍ରଦାନ କରିଛି ବୋଲି ମତବ୍ୟକ୍ତ କରିଛି । ଏହି ଆଲୋଚନା ଚକ୍ରରେ ନାଟ୍ୟଧାରା ଉପସଭାପତି ତଥା ନାଟ୍ୟକାର ବିଶ୍ୱନାଥ ମହାପାତ୍ର,ସଂପାଦକ ଲକ୍ଷ୍ମୀଧର ମହାପାତ୍ର ସମେତ ସଦସ୍ୟ ଦୁର୍ଯ୍ୟୋଧନ ସାହୁ,ସୁରେନ୍ଦ୍ର ମହାପାତ୍ର,ଲକ୍ଷ୍ମୀଧର ସାହୁ, ଶେଖ ଅବଦୁଲ ଖାଲିକ, ପ୍ରଦୀପ ଡାକୁଆ, ପ୍ରଶାନ୍ତ କୁମାର ଦାଶ, ଅଶୋକ ମଲ୍ଲ, ଉମାକାନ୍ତ ମିଶ୍ର,ସୁମନ ସାହୁ,ନିରୂପମା ପଟ୍ଟନାୟକ,ରଜତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଚଳିତବର୍ଷ ନାଟକଉତ୍ସବର ସଫଳତା ପାଇଁ ଉପସ୍ଥିତ ସମସ୍ତ କର୍ମକର୍ତ୍ତା ଏବଂ ସଦସ୍ୟ ସଦସ୍ୟା ମାନଙ୍କୁ ସଭାପତି ଶ୍ରୀ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିବା ସହ ଆଗାମୀବର୍ଷ ନାଟକ ଉତ୍ସବ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ନାଟକର ଯଜ୍ଞଶାଳା ‘ନାଟ୍ୟଧାରା’ ପକ୍ଷରୁ ‘ବିଶ୍ୱ ନାଟ୍ୟ ଦିବସ’ ପାଳିତ
