ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ପ୍ରମୁଖ ନାଟ୍ୟାନୁଷ୍ଠାନ “ମଞ୍ଚାୟନ” ତରଫରୁ ସ୍ଥାନୀୟ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ସଭାଗୃହ ପରିସରରେ ପାଳିତ ହୋଇଯାଇଛି ‘ବିଶ୍ୱ ନାଟ୍ୟ ଦିବସ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ତଥା ଉଚ୍ଚଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଭାରତୀୟ ନାଟ୍ୟ ପରମ୍ପରାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। କଳାକାର ର ଜୀବନ ହେଉଛି ସମର୍ପିତ ଜୀବନ।ବିନା କୃତ୍ରିମତାରେ ପ୍ରାକୃତିକ ଉତ୍ସକୁ ଯିଏ ତୋଳିଧରେ ସେ ହିଁ ପ୍ରକୃତ କଳାକାର। ସାଧାରଣତଃ ଐକ୍ୟ, ସାଂସ୍କୃତିକ ଚେତନାରୁ ଆସିଥାଏ ବୋଲି ମନ୍ତ୍ରୀ ମତପ୍ରକାଶ କରିଥିଲେ। ପ୍ରଥମ ଅଧିବେଶନରେ ସମ୍ମାନିତ ଅତିଥି ଭାବେ ନୟାଗଡ଼ର ସଂସ୍କୃତି ପୁରୁଷ , ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ପଟ୍ଟନାୟକ ନୟାଗଡ଼ର ନାଟ୍ୟ ପରମ୍ପରାର ଉପରେ ଏବଂ ବିଶିଷ୍ଟ ନାଟ୍ୟକାର , ନିର୍ଦ୍ଦେଶକ ଗଦାଧର ନନ୍ଦ ନିଜ ନାଟ୍ୟ ଜୀବନର ବିସ୍ତ୍ରୁତ ଅନୁଭବକୁ ଉପସ୍ଥାପିତ କରିଥିଲେ।

ବରିଷ୍ଠ ଅଭିନେତା ସୁରେନ୍ଦ୍ର କୁମାର ସାହୁ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲାବେଳେ ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସମସ୍ତ ଅତିଥି, କଳାକାର ଓ ଦର୍ଶକମାନଙ୍କୁ ସ୍ୱାଗତ କରିଥିଲେ। ଦ୍ବିତୀୟ ଅଧିବେଶନରେ ନୟାଗଡ଼ର ନବ ନିର୍ବାଚିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏବଂ ନୟାଗଡ଼ ପୋୖରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ଅତିଥି ଭାବେ ଯୋଗଦେଇ ନୟାଗଡ଼ର ସମୃଦ୍ଧ ନାଟ୍ୟ ପରମ୍ପରାର ଓ ବର୍ତ୍ତମାନର ନାଟକ ବିଷୟରେ ନିଜସ୍ୱ ମତ ରଖିଥିଲେ। ତୃତୀୟ ଅଧିବେଶନରେ ବିଶ୍ୱବିଦ୍ୟାଳୟସ୍ତରୀୟ ନାଟକ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରମାନଙ୍କ ଦ୍ୱାରା ଅଭିନୀତ ନାଟକ ” ଏମିତି ଚାଲିଛି ” ଅଭିନୀତ ହୋଇଥିଲା। ନାଟକ ଟିକୁ ରଚନା କରିଥିଲେ ବିଶିଷ୍ଟ ନାଟ୍ୟକାର ଅଧ୍ୟାପକ ରାମଚନ୍ଦ୍ର ମିଶ୍ର ଏବଂ ନିର୍ଦ୍ଦେଶନା ଦେଇଥିଲେ ଡ.ଆଶୁତୋଷ ମିଶ୍ର।

ସେହିପରି ଅନ୍ୟ ଏକ ନାଟକ ” ମାଆ ର ମାଆ ” ଦେବେନ୍ଦ୍ର ପରମଗୁରୁଙ୍କ ଲିଖିତ ଓ ନିର୍ଦ୍ଦେଶିତ ନାଟକ ଦର୍ଶକମାନଙ୍କୁ ବେଶ୍ ଛୁଇଁଥିଲା। ଶେଷରେ ଅନୁଷ୍ଠିତ ହୋଇଥିଲା ନାଟକ ପ୍ରସ୍ତୁତି କର୍ମଶାଳା। ନାଟ୍ୟକାର ଓ ନିର୍ଦ୍ଦେଶକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ବହୁ ଚର୍ଚ୍ଚିତ ନାଟକ ” ପଥର” ର ଗୋଟିଏ ଦୃଶ୍ୟ କୁ ଉପସ୍ଥାପିତ କରିଥିଲେ ନୟାଗଡ଼ର ପ୍ରବୀଣ ତଥା ଯୁବ କଳାକାରମାନେ। ପ୍ରାୟ ଦେଢ଼ ଶହରୁ ଉର୍ଦ୍ଧ୍ବ କଳାକାର, ନାଟ୍ୟପ୍ରେମୀ ଓ ନାଟ୍ୟକର୍ମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାବେଳେ ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ କବି ଓ ଅଭିନେତା ଅଧ୍ୟାପକ ଗଣେଶ ମିଶ୍ର ତଥା କବୀ ସୈ।ଦାମିନୀ ସ୍ୱାଇଁ।
