ନୟାଗଡ଼ ବ୍ଳକ ଏଲିମେଣ୍ଟାରୀ ଶିକ୍ଷକ ସଙ୍ଘ ସମ୍ମିଳନୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଳକ ଏଲିମେଣ୍ଟାରୀ ଶିକ୍ଷକ ବ୍ଲକ ସ୍ତରୀୟ କର୍ମଶାଳା ତଥା ସମ୍ମିଳନୀ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ସମନ୍ୱୟ ସମିତିର ସଭାପତି ରଘୁନାଥ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ତଥା ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ପ୍ରାଣୀ ସମ୍ପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶିକ୍ଷକମାନେ ସମାଜର ମେରୁଦଣ୍ଡ ତଥା ଶିକ୍ଷକମାନେ ସମାଜର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ବୋଲି ମତବ୍ୟକ୍ତ କରିଥିଲେ ।

ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଶିକ୍ଷାଧିକାରୀ ଅକୃର ବାରିକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ.ବସନ୍ତ ନାୟକ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌରଧ୍ୟକ୍ଷା ନିରୂପମା ଖଟେଇ, ବ୍ଲକ ଶିକ୍ଷାଧିକାରୀ ନୀଳାମ୍ବର ତ୍ରିପାଠି ପ୍ରମୁଖ ଯୋଗଦାନ କରିଥିଲେ ।

ଶିକ୍ଷକ ଶେଖ ଅବଦୁଲ ଖାଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ପ୍ରାଥମିକ ଶିକ୍ଷକ ସଂଘ ସଂପାଦକ ଭକ୍ତବଲଭ ବଟକୃଷ୍ଣ ମିଶ୍ର ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ସମନ୍ୱୟ ସମିତି ସମ୍ପାଦକ ସୁରେଶ ସେଠୀ ବିବରଣୀ ପାଠ କରିବା ସହ ପୁରୁଣା ପେନସନ ଯୋଜନା ଲାଗୁ କରିବା ତଥା ଶିକ୍ଷକମାନଙ୍କ ପ୍ରମୋସନ ବିଳମ୍ବ ସମ୍ପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ସମାଜରେ ଅବହେଳିତ ତଥା ନିଷ୍ପେସିତ ଭିନ୍ନକ୍ଷମ ପିଲାମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ସହିତ ସେମାନଙ୍କ ଶିକ୍ଷାର ବିକାଶ ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ଶିକ୍ଷକ ସଞ୍ଜୟ କୁମାର ସୁବୁଦ୍ଧି ଏବଂ ଅସୁବିଧାରେ ପଡିଥିବା ରୋଗୀମାନଙ୍କୁ ସେମାନଙ୍କ ଅସମୟରେ ଉପସ୍ଥିତ ରହି ରକ୍ତଦାନ ପରି ମହାନ କାର୍ଯ୍ୟ କରୁଥିବା ଶିକ୍ଷକ ଲକ୍ଷ୍ମୀଧର ସାହୁଙ୍କୁ ଅତିଥିମାନଙ୍କ ଦ୍ୱାରା ଉପଢ଼ୌକନ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ସେହିପରି ଗତ ଦୁଇବର୍ଷ ମଧ୍ୟରେ ଅବସର ଗ୍ରହଣ କରିଥିବା ନୟାଗଡ଼ ବ୍ଲକ ଶିକ୍ଷାଧିକାରୀ ଦାମୋଦର ଖିଲାର, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଭାଗୀରଥି ବରାଡ଼ଙ୍କ ସମେତ ୨୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଗତ ଦୁଇବର୍ଷ ମଧ୍ୟରେ କେଭିଡ ମହାମାରୀରେ ଆକ୍ରାନ୍ତ ହୋଇ ତିନିଜଣ ଶିକ୍ଷକ ପ୍ରାଣ ହରାଇଥିବା ବେଳେ ସେମାନଙ୍କୁ କୋଭିଡ ଯୋଦ୍ଧା ସହ ମରୋଣତ୍ତର ଭାବେ ସେମାନଙ୍କ ସମ୍ପର୍କିୟମାନଙ୍କୁ ସମ୍ମାନୀତ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ଦିଗରେ ଶିକ୍ଷକ ଉମେଶ ସ୍ବାଇଁ, ସଂଗ୍ରାମ ସାହୁ, ପୀତବାସ ପ୍ରଧାନ, ରବୀନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ।

Related posts