ଓଡ଼ଗାଁ(ନୟାଗଡ଼ ଦର୍ପଣ): ଓଡ଼ଗାଁ ବନାଞ୍ଚଳ ଆଦିବାସୀ ଅଧ୍ୟୁଷିତ ବାଣ୍ଠପୁର ପଞ୍ଚାୟତ ପୋଡ଼ାସାହି ଗ୍ରାମ ନୂଆସାହିର କିଶୋର ଦଳବେହେରାଙ୍କ ସ୍ତ୍ରୀ ସୁନୀତା ଦଳବେହେରା ଏବଂ ସବିତ ଯାନୀଙ୍କ ସ୍ତ୍ରୀ ଲାବଣ୍ୟ ଯାନୀ ମିଶି ଗାଁ ନିକଟ ନଦୀକୁ ଗାଧେଇବାକୁ ଯାଉଥିଲେ। ରାସ୍ତାରେ ଯାଉଥିବା ସମୟରେ ହଠାତ୍ ଗୟଳ ଜଙ୍ଗଲରୁ ଆସି ସୁନୀତାଙ୍କୁ ଆକ୍ରମଣ କରିଥିଲା। ଆକ୍ରମଣରେ ସୁନିତାଙ୍କ ଜଂଘରେ ଗଭୀର କ୍ଷତ ଲାଗିଛି। ତାଙ୍କୁ ଦେଖି ଲାବଣ୍ୟ ଭୟରେ ଏକ ବାଉଁଶ ବୁଦା ଭିତରେ ପଶିଯାଇ ଚିତ୍କାର କରିଥିଲେ। ଚିତ୍କାର ଶୁଣି ଗାଁ ଲୋକେ ଘଟଣା ସ୍ଥଳକୁ ଯିବାବେଳେ ଗୟଳ ଭୟଭୀତ ହୋଇ ସେଠାରୁ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା। ପ୍ରଥମେ ସୁନୀତାକୁ ଉଦ୍ଧାର କରି ଓଡ଼ଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଲାବଣ୍ୟକୁ ବାଉଁଶ ବୁଦା ଭିତରୁ ଉଦ୍ଧାର କରାଯାଇଥିଲା। ତାଙ୍କର ଦେହର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍କ ବାଉଁଶକଣ୍ଟା ବାଜି କ୍ଷତାକ୍ତ ହୋଇଛି। ଠିକ୍ ଏହାର କିଛି ସମୟ ପରେ ସେହି ଗାଁର ନକୁଳ ଯାନୀ ଜଙ୍ଗଲକୁ ଜାଳେଣୀ କାଠ ପାଇଁ ଯାଇଥିବା ବେଳେ ଗୟଳ ହାବୁଡରେ ପଡିଥିଲେ। ଗୟଳ ଆକ୍ରମଣରେ ନକୁଳଙ୍କ ଶରୀର କ୍ଷତ ବିକ୍ଷତ ହୋଇଥିବା ବେଳେ ସେ ଏବେ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି।
ଗୟଳ ଆକ୍ରମଣରେ ନୂଆସାହିର ତିନି ଗୁରୁତର
