ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ବିଜୁ ଜନତା ଦଳ ପକ୍ଷରୁ ଓଡ଼ଗାଁ ବ୍ଲକ ଏବଂ ନୟାଗଡ଼ ପୌରପରିଷଦର ନବନିର୍ବାଚିତ ଜନପ୍ରତିନିଧିମାନଙ୍କୁ ନେଇ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସଭାର ପ୍ରାରମ୍ଭରେ ସମସ୍ତ ଜନପ୍ରତିନିଧିଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ତଥା କୃଷିମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଯୋଗଦେଇ ଜନପ୍ରତିନିଧିମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି। ରାଜନୀତି ହେଉଛି ସମାଜସେବାର ଉତ୍କୃଷ୍ଟ ମାଧ୍ୟମ, ସର୍ବଦା ଧୀର, ସ୍ଥିର ଓ ବିନମ୍ରତାର ସହ ଅହଂକାରଠାରୁ ଦୂରେଇ ରହି ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ କରିବା ଜଣେ ଜନପ୍ରତିନିଧିର ପରମ କର୍ତ୍ତବ୍ୟ। ନିର୍ବାଚନ ଲଢ଼ିବା ସମୟରେ ଜଣେ ନେତାର ଯେଉଁ ମନୋବୃତ୍ତି ଥାଏ ସେହି ମନୋବୃତ୍ତି ସହିତ ଆଗାମୀ ୫ ବର୍ଷ କାର୍ଯ୍ୟ କରିବା ପାଇଁ ଆହ୍ୱାନ ମଧ୍ୟ ଦେଇଥିଲେ। ବିଶେଷ କରି ମହିଳା ଜନପ୍ରତିନିଧି ସିଧାସଳଖ ରାଜନୀତିରେ ରହି ଲୋକଙ୍କ କାର୍ଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ,ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଏବଂ ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇଙ୍କ ସମେତ ନବନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ପଞ୍ଚାୟତ ସମିତି ସଭ୍ୟ ଓ ସରପଞ୍ଚ ପ୍ରମୁଖ ମଞ୍ଚାସୀନ ଥିଲେ। ନିତ୍ୟାନନ୍ଦ ପ୍ରଧାନ ଓ ବିଭୁ ପ୍ରସାଦ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
