ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରାଳୟ, ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ ଅଧିନସ୍ଥ କେନ୍ଦ୍ରୀୟ ଭୂମିଜଳ ପରିଷଦ, ଦକ୍ଷିଣ-ପୂର୍ବ କ୍ଷେତ୍ର, ଭୁବନେଶ୍ଵର ଆନୁକୂଲ୍ୟରେ ଏକ ଦିବସୀୟ ଭୂତଳ ଜଳ ପରିଚାଳନା ଏବଂ ବର୍ଷାଜଳ ସଂରକ୍ଷଣ ସମ୍ପର୍କରେ ଜନ ବାର୍ତ୍ତାଳାପ କାର୍ଯ୍ୟକ୍ରମ ରୋଟାରୀ କ୍ଲବ, ନୟାଗଡରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଭାରତର ୭୫ ତମ ସ୍ବାଧିନତାର ଅମୃତ ମହୋତ୍ସବ ପାଳନ ଅବସରରେ ଆୟୋଜିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ବୈଜ୍ଞାନିକ ଶ୍ରୀମତୀ ମୌସୁମୀ ସାହୁ, ସୁଶ୍ରୀ ପୂର୍ବା ବେରା, ଶ୍ରୀ ସତ୍ୟମ ଶୁକ୍ଳା, ଶ୍ରୀ ସଚିଦାନନ୍ଦ ପୃଷ୍ଟି, ପ୍ରାଧ୍ୟାପକ ହରପ୍ରସାଦ ମହାପାତ୍ର ଏବଂ ରୋଟାରୀ କ୍ଲବର ସଭାପତି ଧିରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଭୂତଳ ଜଳ ସ୍ଥିତି, ଗୁଣବତ୍ତା ଏବଂ ପରିଚାଳନା ଆଦି ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ସହରର ବୁଦ୍ଧିଜିବୀ, ସମାଜସେବୀ, ଗଣମାଧ୍ୟମ ପ୍ରତିନିଧି ଏବଂ ବହୁ ଜନସାଧାରଣ ଯୋଗଦେଇଥିଲେ । ରୋଟାରିଆନ ମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ମୌସୁମୀ ସାହୁ ପରିଚାଳନା କରିଥିଲେ । ପରିଶେଷରେ ରୋଟାରିଆନ ପ୍ରସନ୍ନ ବସନ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ ।

ଭୂତଳ ଜଳର ଅବନତି ସାଧାରଣତଃ ଭୂମିରୁ ବାରମ୍ବାର ପାଣି ପମ୍ପ ହେତୁ ହୋଇଥାଏ । ଜଳର ସରଂକ୍ଷଣ କରିବା ଅପେକ୍ଷା ଆମେ ଜଳକୁ ଶୀଘ୍ର ପମ୍ପ କରିଥାଉ, ଯାହା ଭୂତଳ ଜଳ ଯୋଗାଣରେ ବିପଜ୍ଜନକ ଅଭାବର କାରଣ ହୋଇଥାଏ । ଜନସଂଖ୍ୟା ବୃଦ୍ଧି ଯୋଗୁଁ ଆମେ ଯେତେ ଶୀଘ୍ର ଦ୍ରୁତ ଗତିରେ ଭୂମିରୁ ଜଳ ପମ୍ପ କରୁ, ଭୂତଳ ଜଳ ଆମକୁ ଆବଶ୍ୟକ ପରିମାଣର ଜଳ ଯୋଗାଇବା କଷ୍ଟକର ହୋଇପଡେ। ପ୍ରଚୁର ପରିମାଣର ଭୂତଳ ଜଳ ଚାଷରେ ବ୍ୟବହୃତ ହୁଏ, କିନ୍ତୁ ଭୂତଳ ଜଳର ଉପଲବ୍ଧତା କ୍ରମାଗତ ଭାବେ ହ୍ରାସ ପାଉଛି । ତେଣୁ ଜଳ ସରଂକ୍ଷଣ ଉପରେ ଗୁରୁତ୍ୱ ଦିଆଯିବା ଦରକାର । ଏସବୁ ବିଷୟରେ ଆଲୋଚନା ହୋଇଥିଲା ।