ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶିକ୍ଷକ ମହାସଂଘ ପକ୍ଷରୁ ସହିଦ ଦିବସ ବୁଧବାର ପୂର୍ବାହ୍ନରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସ୍ମୃତି ସଭାରେ ବିଶିଷ୍ଟ ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଅନାଦି ଚରଣ ମହାନ୍ତି, ଅଧ୍ୟାପକ ଡ.ଦିଲିପ ମିଶ୍ର, ଡ.ଆଶୁତୋଷ ମିଶ୍ର, ଶିକ୍ଷକ ଲକ୍ଷ୍ମୀଧର ସାହୁ, ପ୍ରଶାନ୍ତ ପଟ୍ଟନାୟକ, ଅଶୋକ ମଲ୍ଲ, ମାଣିକେଶ୍ୱର ସ୍ୱାଇଁ ପ୍ରମୁଖ ଯୋଗଦାନ କରି ସ୍ମୃତିଚାରଣ କରିବା ସହ କଲେଜ ପରିସରରେ ଥିବା ସ୍ୱର୍ଗତ କାହ୍ନୁ ଚରଣ ପଟ୍ଟନାୟକଙ୍କ ସ୍ମୃତିସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ସୂଚନାଯୋଗ୍ୟ ଯେ, ୧୯୭୮ ମସିହା ମାର୍ଚ୍ଚ ୯ତାରିଖରେ ଭୁବନେଶ୍ୱରଠାରେ ଶିକ୍ଷକମାନଙ୍କ ବିଭିନ୍ନ ଦାବି ନେଇ ଶିକ୍ଷକ ମହାସଂଘର ଆନ୍ଦୋଳନ ଡାକରା ପରିପ୍ରେକ୍ଷୀରେ ନୟାଗଡ଼ ଜିଳ୍ଲାରୁ ବିଭିନ୍ନ ବର୍ଗର ଶିକ୍ଷକମାନେ ଆନ୍ଦୋଳନରେ ସାମିଲ ହେବାକୁ ବସରେ ଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଟିକାତାଳଠାରେ ବସ ଦୁର୍ଘଟଣାରେ ଶିକାର ହୋଇ ମୋଟ ୬ଜଣ ଶିକ୍ଷକ ପ୍ରାଣ ହରାଇଥିଲେ । ସେମାନଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲାର ୪ଜଣ ଶିକ୍ଷକ ପ୍ରାଣ ହରାଇଥିଲେ। ସେମାନଙ୍କ ମଧ୍ୟରେ ନୟାଗଡ଼ ମହାବିଦ୍ୟାଳୟର ଶିକ୍ଷକ କାହ୍ନୁ ଚରଣ ପଟ୍ଟନାୟକ, ଦଶପଲ୍ଲା ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବିଳାସିନୀ ପଟ୍ଟନାୟକ, ସହକାରୀ ଶିକ୍ଷୟିତ୍ରୀ ଚାରୁଲତା ପଟ୍ଟନାୟକ ଏବଂ ଶାନ୍ତିଲତା ମହାରଣା । ଏମାନେ ସମସ୍ତେ ଏକ ଘରୋଇ ବସରେ ଭୁବନେଶ୍ୱର ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ଶିକ୍ଷକ ସମାଜ ପାଇଁ ଏମାନଙ୍କ ବଳିଦାନ ଉପଲକ୍ଷେ ପ୍ରତିବର୍ଷ ମାର୍ଚ୍ଚ ୯ ତାରିଖକୁ ଶିକ୍ଷକ ମହାସଂଘ ପକ୍ଷରୁ ସହିଦ ଦିବସ ଭାବେ ପାଳନ କରାଯାଇ ଆସୁଅଛି ।
