ନୟାଗଡ଼ରେ ଗ୍ରୀଷ୍ମପ୍ରବାହ ଓ ଏହାର ପ୍ରତିକାର ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମପ୍ରବାହ ଓ ଏହାର ପ୍ରତିକାର ସଂପର୍କରେ ଏକ ବୈଠକ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ ଜଣାଇ ଗ୍ରୀଷ୍ମପ୍ରବାହ ଓ ପ୍ରତିକାର ସଂପର୍କରେ ଆଲୋଚନା କରି ସମସ୍ତ ବିଭାଗର ଅଧିକାରୀମାନଙ୍କୁ ଗ୍ରୀଷ୍ମପ୍ରବାହ ସମୟରେ ନିଜ ନିଜ ସ୍ତରରେ ଆବଶ୍ୟକୀୟ ପଦକ୍ଷେପମାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ଜନସମାଗମ ସ୍ଥାନମାନଙ୍କରେ ପାନୀୟଜଳ ବ୍ୟବସ୍ଥା କରାଇବା ପାଇଁ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ନିର୍ବାହୀ ଅଧିକାରୀମାନେ ଯତ୍ନବାନ ହେବା ପାଇଁ କହିଥିଲେ ।

ସେହିପରି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ସମସ୍ତ ନଳକୁଅଗୁଡ଼ିକୁ ସଚଳ ଅବସ୍ଥାରେ ରଖିବା ପାଇଁ ପରାମର୍ଶ ଦେଇଥିଲେ। ଖରାପ ହୋଇଯାଇଥିବା ନଳକୁଅଗୁଡ଼ିକ ତୁରନ୍ତ ମରାମତି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପଂଚାୟତମାନଙ୍କରେ ଜଳଛତ୍ରର ବ୍ୟବସ୍ଥା କରାଇବା ପାଇଁ ପରାମର୍ଶ ଦେଇଥିଲେ ।

ସେହିପରି ମେଡିକାଲମାନଙ୍କରେ ଆବଶ୍ୟକୀୟ ଔଷଧପତ୍ର ଏବଂ ଅଂଶୁଘାତର ପ୍ରଶମନ ପାଇଁ ଏବଂ ସମସ୍ତ ଡାକ୍ତରଖାନା ଓ ଏ.ଏନ.ଏମ କେନ୍ଦ୍ରରେ ଓ.ଆର.ଏସ. ପାଉଡରର ସୁବ୍ୟବସ୍ଥା କରାଇବା ପାଇଁ ସି.ଡି.ଏମ.ଓ.ଙ୍କୁ ପରାମର୍ଶ ଦେଇଥିଲେ । କୌଣସି ବ୍ୟକ୍ତି ଅଂଶୁଘାତରେ ପ୍ରାଣ ହରାଇଲେ ଏହାର ତଦନ୍ତ ରିପୋର୍ଟ ସଂପୃକ୍ତ ଅଂଚଳର ବିଡିଓ, ତହସିଲଦାର ଏବଂ ଡାକ୍ତର ମିଳିତ ଭାବରେ ତଦନ୍ତ କରି ୨୪ଘଂଟା ମଧ୍ୟରେ ରିପୋର୍ଟ ଜିଲ୍ଲା କାର୍ଯ୍ୟାଳୟକୁ ଜଣାଇବେ ।

ସେହିପରି ଶ୍ରମ ବିଭାଗ ଦିବା ଘ.୧୧.୩୦ମି. ସମୟରୁ ଅପରାହ୍ନ ଘ.୦୩.୩୦ମି. ପର୍ଯ୍ୟନ୍ତ କାମ ନ କରିବା ପାଇଁ ଶ୍ରମିକମାନଙ୍କୁ ସଚେତନ କରାଇବେ । ଜିଲ୍ଲା ଶ୍ରମ ଅଧିକାରୀ, ବିଡିଓ ଓ ନିର୍ବାହୀ ଅଧିକାରୀ ଏଥିପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବେ । ଗ୍ରୀଷ୍ମ ପ୍ରବାହ ସମୟରେ ଯାତ୍ରୀବାହି ବସଗୁଡ଼ିକ ଆବଶ୍ୟକ ପାଣି ଓ ପ୍ରାଥମିକ ଚିକିତ୍ସାର ସୁବ୍ୟବସ୍ଥା କରାଇବା ପାଇଁ ଆଂଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି ଅଗ୍ନିଶମ ବିଭାଗ, ବିଦ୍ୟୁତ୍ ବିଭାଗ, ଜଙ୍ଗଲ ବିଭାଗ ନିଜ ନିଜର କର୍ତବ୍ୟ ସୂଚାରୁରୂପେ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ । ବିଭିନ୍ନ ଅଂଚଳରେ ଜୀବଜନ୍ତୁମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଇବା ପାଇଁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସି.ଡି.ଭି.ଓ. ଗୋରୁଗାଈଙ୍କ ପାଇଁ ଆବଶ୍ୟକୀୟ ଖାଦ୍ୟ ଓ ଔଷଧ ମହଜୁଦ ରଖିବା ପାଇଁ କହିଥିଲେ ।

ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ଆବଶ୍ୟକୀୟ ପାନୀୟ ଜଳର ବ୍ୟବସ୍ଥା କରାଇବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଆଶ୍ରମ ସ୍କୁଲ ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଦଶପଲ୍ଲା ଏବଂ ବାହାଡ଼ାଝୋଲା ଠାରେ ହେଉଥିବା ସାପ୍ତାହିକ ଗୋରୁ ହାଟଗୁଡ଼ିକରେ ପାନୀୟ ଜଳ ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦେଇଥିଲେ ।

ଅଂଶୁଘାତର ମୁକାବିଲା ନିମନ୍ତେ ଜିଲ୍ଲାସ୍ତରରେ ଏବଂ ବ୍ଲକସ୍ତରରେ ରାପିଡ୍ ରେସପନ୍ସ ଟିମ ଗଠନ କରାଯାଇଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରକାଶ କରିଥିଲେ । ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବସ ଚନ୍ଦ୍ର ରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମକରନ୍ଦ ବେଉରା , ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଦିଲିପ କୁମାର ଜେନା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ,ସମସ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ, ତହସିଲଦାର, ନିର୍ବାହୀ ଅଧିକାରୀ, ସିଡିପିଓ, ପୋଲିସ ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଲାଇନ ବିଭାଗର ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।

Related posts