ନୟାଗଡ଼,(ନୟାଗଡ଼ ଦର୍ପଣ): ନାଟ୍ୟଧାରା ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଦୀର୍ଘ ୮ଦିନ ଧରି ଚାଲିଥିବା ତୃତୀୟ ରାଜ୍ୟସ୍ତରୀୟ ନାଟକ ସମାରୋହର ଅଷ୍ଟମ ତଥା ଅନ୍ତିମ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ଲୋକପ୍ରିୟ ସାମାଜିକ ନାଟକ ‘ନିଧିବାବୁ ଘରେ ଅଛ?’ । ସ୍ଥାନୀୟ ନାଟ୍ୟାନୁଷ୍ଠାନ ଚମତ୍କାର,ନୟାଗଡ଼ ପକ୍ଷରୁ ପରିବେଷିତ ଏହି ସାମାଜିକ ନାଟକଟି ଓଡ଼ିଶାର ବିଶିଷ୍ଟ ନାଟ୍ୟକାର ଡ.ବିଜୟ କୁମାର ମିଶ୍ର ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ନାଟ୍ୟ ନିର୍ଦ୍ଦେଶକ ଡ. ବିଜୟ କୁମାର ଚୌଧୁରୀ । ଏଥିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ରିଙ୍କୁ, ବିରୁ, ବାପି, ବାପୁ, ଲକି, ପ୍ରଦୀପ, ସିଂବାବୁ, ଖଟୁଆ, ନିଶିକାନ୍ତ, ଟୁନା, ବଣ୍ଟି, ମୀରା, ଟିକିଲି ଏବଂ ଶିଶୁ କଳାକାର ଦେବାଂଶୀ ।
ନାଟ୍ୟ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ବିଶିଷ୍ଟ ଅତିଥିଭାବେ ରାଜା ରାମେଶ୍ୱର ପ୍ରସାଦ ସିଂ ମାନଧାତା ଯୋଗଦାନ କରିଥିବା ବେଳେ ଅତିଥିଭାବେ ନାଟ୍ୟଧାରା ସଭାପତି ପ୍ରମୋଦ ପଟ୍ଟନାୟକ, ସଂପାଦକ ଲକ୍ଷ୍ମୀଧର ମହାପାତ୍ର, ନିର୍ଦ୍ଦେଶକ ଡ.ବିଜୟ ଚୌଧୁରୀ ପ୍ରମୁଖ ଯୋଗଦାନ କରି ଚଳିତ ବର୍ଷ ନାଟକ ସମାରୋହ ବିଭିନ୍ନ କଟକଣା ମଧ୍ୟରେ ଅପୂର୍ବ ଲୋକପ୍ରିୟତା ତଥା ସଫଳତା ସାଉଁଟିଥିଲା ବୋଲି ମତ ପ୍ରକାଶ କରିବା ସହ ଆଗାମୀ ବର୍ଷ ଚତୁର୍ଥ ନାଟକ ସମାରୋହ କରିବା ପାଇଁ ଏହା ଉତ୍ସାହ ଏବଂ ପ୍ରେରଣା ଯୋଗାଇଛି ବୋଲି କହିଥିଲେ ।
ରାଜ୍ୟର ବିଭିନ୍ନ ଅଞ୍ଚଳରୁ ନାଟ୍ୟସଂସ୍ଥା ମାନେ ଏଠାକୁ ଆସି ସେମାନଙ୍କ ଅଭିନୀତ ନାଟକ ଗୁଡ଼ିକୁ ନିଖୁଣ ଅଭିନୟ ମାଧ୍ୟମରେ ପରିବେଷଣ କରି ଲୋକଙ୍କ ହୃଦୟ ଛୁଇଁ ପାରିଥିବା ବେଳେ ସେମାନଙ୍କ ସହଯୋଗ ପାଇଁ ନାଟ୍ୟଧାରା ପକ୍ଷରୁ କୃତଜ୍ଞତା ପ୍ରକାଶ କରାଯାଇଥିଲା । ଏହି ଅବସରରେ ବର୍ଷିୟାନ ଦଣ୍ଡନାଟ ଗୁରୁ ସଦାଶିବ ଦାସ ଏବଂ ଭୁବନ ଚିତ୍ରାଳୟ ପ୍ରତିଷ୍ଠାତା ଭୁବନେଶ୍ୱର ପରିଡ଼ାଙ୍କୁ ନାଟ୍ୟଧାରା ପକ୍ଷରୁ ଉପଢୌକନ ଏବଂ ମାନପତ୍ର ଦିଆଯାଇ ସମ୍ବର୍ନ୍ଧିତ କରାଯାଇଥିଲା । ନାଟ୍ୟଧାରା ପରିବାରର ପ୍ରମୁଖ ସଦସ୍ୟ ନିର୍ମଳ ଚନ୍ଦ୍ର ଶୂରଦେଓ, ବିଶ୍ୱନାଥ ମହାପାତ୍ର, ଶେଖ ଅବଦୁଲ ଖାଲିକ, ଲକ୍ଷ୍ମୀଧର ସାହୁ, ପ୍ରଶାନ୍ତ କୁମାର ଦାଶ, ଅଶୋକ କୁମାର ମଲ୍ଲ, ଉମାକାନ୍ତ ମିଶ୍ର, ଆଶୁତୋଷ ମିଶ୍ର, ପ୍ରଧାନୀ ବୃନ୍ଦାବନ ମହାପାତ୍ର, ପ୍ରଦୀପ କୁମାର ସାହୁ, ସରୋଜ କୁମାର ସାହୁ, ସୁମନ କୁମାର ସାହୁ, ସୁରେନ୍ଦ୍ର କୁମାର ମହାପାତ୍ର, ଗୋକୁଳ ଷଡଙ୍ଗୀ, ନିରଂଜନ ମିଶ୍ର ପ୍ରମୁଖଙ୍କ ପ୍ରତ୍ୟକ୍ଷ ସହଯୋଗରେ ଦୀର୍ଘ ୮ଦିନ ଧରି ଚାଲିଥିବା ନାଟକ ମହୋତ୍ସବର ଅନ୍ତିମ ଦିବସରେ ଚମତ୍କାର କଳାକାର ମାନଙ୍କ ଜୀବନ୍ତ ତଥା ନିଖୁଣ ଅଭିନୟ ଅଡିଟୋରିୟମ ଭରପୂର ଦର୍ଶକଙ୍କୁ ବାନ୍ଧି ରଖିଥିଲା ।
