ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ୩ୟ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ବିମୋହିତ କରିଥିଲା ଏକ ଭିନ୍ନ ସ୍ୱାଦର ନାଟକ ‘ସାଉଁଟା କଇଁ’ । ବୁଧବାର ସଂଧ୍ୟାରେ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ମଞ୍ଚସ୍ଥ ହୋଇଥିବା ଏହି ନାଟକକୁ ବିଶିଷ୍ଟ ନାଟ୍ୟକାର ପଞ୍ଚାନନ ମିଶ୍ର ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ସତ୍ୟବ୍ରତ ଦାଶ । ଓଡ଼ିଶା ନାଟକ ସମାରୋହ ସମିତି, ବ୍ରହ୍ମପୁର ପକ୍ଷରୁ ପରିବେଷିତ ଏହି ନାଟକରେ ଆଜି ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ, ନାଟ୍ୟକାର ପ୍ରାଧ୍ୟାପକ ରାମଚନ୍ଦ୍ର ମିଶ୍ର, ନାଟ୍ୟ ଦିଗଦର୍ଶକ ରାଜୁ ପାଢ଼ୀଙ୍କ ସମେତ ନାଟ୍ୟଧାରା ପରିବାରର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସଂପାଦକ ଲକ୍ଷ୍ମୀଧର ମହାପାତ୍ର, ନାଟ୍ୟ ନିର୍ଦ୍ଦେଶକ ଡ.ବିଜୟ ଚୌଧୁରୀ ପ୍ରମୁଖ ଯୋଗଦାନ କରିଥିଲେ । ସମାଜରେ କୁସଂସ୍କାର, ଅନ୍ଧବିଶ୍ୱାସ ତଥା ଅଶିକ୍ଷା ଦ୍ୱାରା କିପରି ସମାଜ ପ୍ରଭାବିତ ହୁଏ ସେ ବିଷୟରେ କଳାକାର ମାନେ ନିଖୁଣ ଅଭିନୟ କରି ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ତୃତୀୟ ସଂଧ୍ୟାର ନାଟକକୁ ନାଟ୍ୟଧାରା ପରିବାର ପକ୍ଷରୁ ସୁରେନ୍ଦ୍ର ମହାପାତ୍ର, ଗୋଦାବରୀ ମିଶ୍ର, ଡ.ଆଶୁତୋଷ ମିଶ୍ର, ଲକ୍ଷ୍ମୀଧର ସାହୁ, ରାକେଶ ଦାସ, ପ୍ରଦୀପ ସାହୁ, ରାଜେନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ନାଟକଟିକୁ ଭରପୂର ଦର୍ଶକ ବେଶ ଉପଭୋଗ କରିଥିଲେ ।

