ନୟାଗଡ଼,(ନୟାଗଡ଼ ଦର୍ପଣ): ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଆଜି ସମାପ୍ତ ହୋଇଯାଇଛି । ନୟାଗଡ଼ ବ୍ଲକର ୨୯ଗୋଟି ପଂଚାୟତରେ ୪ଟି ଜିଲ୍ଲାପରିଷଦ ଜୋନ୍ ଏବଂ ୪୩୫ଟି ଓାର୍ଡ଼ରେ ୧୨୭,୯୯୩ ମତଦାତାଙ୍କ ମଧ୍ୟରୁ ୧୦୦,୦୯୯ ମତଦାତା(୭୮.୨୦ ପ୍ରତିଶତ ) ମତଦାନ କରିଛନ୍ତି । ଜିଲ୍ଲାପାଳ ଡା. ପୋମା ଟୁଡୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସିଦ୍ଧାର୍ଥ କଟ୍ଟାରିଆ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ, ଜିଲ୍ଲା ପଂଚାୟତ ଅଧିକାରୀ ଶ୍ରୀ ମନୋରଂଜନ ମହାନ୍ତି, ନୟାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଭିକାରୀ ସାହୁ ପ୍ରମୁଖ ବିଭିନ୍ନ ବୁଥ୍ ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଛନ୍ତି । ଭୋଟଦାନ ସକାଳ ୭ଘଟିକା ଠାରୁ ଆରମ୍ଭ ହୋଇ ଅପରାହ୍ନ ୧ଘଟିକା ସମୟରେ ସମାପ୍ତ ହୋଇଛିି । ଭୋଟବାକ୍ସ ଗୁଡ଼ିକୁ ପୋଲିଂ ପାର୍ଟିମାନେ ବ୍ରଜେନ୍ଦ୍ର ଉଚ୍ଚବିଦ୍ୟାଳୟରେ କରାଯାଇଥିବା ଷ୍ଟ୍ରଙ୍ଗ୍ରୁମ ଗୁଡ଼ିକରେ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରଖାଯାଇଛି । ଏହି ଷ୍ଟ୍ରଙ୍ଗ୍ରୁମ ଗୁଡ଼ିକ ଆସନ୍ତା ୨୬, ୨୭ ଏବଂ ୨୮ ଫେବୃଆରୀରେ ଭୋଟ ଗଣତି ହେବା ପର୍ଯ୍ୟନ୍ତ ୨୪ଘଂଟା ପୋଲିସ ପହରା ଏବଂ ସିସି ଟିଭି କ୍ୟାମେରାର ସତର୍କ ଦୃଷ୍ଟିରେ ରଖାଯିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳ ଡା. ଟୁଡୁ ଆଜିର ତୃତୀୟ ପର୍ଯ୍ୟାୟ ମତଦାନ ଶାନ୍ତି ଶୃଙ୍ଖଳାର ସହିତ ସମାପ୍ତ ହୋଇଥିବାରୁ ସନ୍ତୋଷ ପ୍ରକାଶ କରିବା ସହିତ ଆଗାମି ଦିନରେ ହେବାକୁ ଥିବା ଅବଶିଷ୍ଟ ଦୁଇଗୋଟି ପର୍ଯ୍ୟାୟରେ ଜିଲ୍ଲାବାସୀ ଏଭଳି ଶାନ୍ତି ଶୃଙ୍ଖଳାର ସହିତ ମତଦାନ କରିବା ନିମନ୍ତେ ଅନୁରୋଧ କରିଛନ୍ତି ।
ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ
