ଜିଲ୍ଲା ଶାନ୍ତି କମିଟି ବୈଠକକୁ ଆସିଲାନି ଗୁଡୁପାଙ୍ଗି ଗ୍ରାମ

ନୟାଗଡ଼: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଗୁଡ଼ୁପାଙ୍ଗୀ ଏବଂ ଏହାର ପାଶ୍ୱର୍ବର୍ତ୍ତି ୧୭ଟି ଗ୍ରାମ ମଧ୍ୟରେ ଦୀର୍ଘ ଦିନରୁ ଏକ ଗ୍ରାମ୍ୟ ରାସ୍ତାକୁ ନେଇ ଲାଗିରହିଥିବା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଶାନ୍ତି କମିଟି ଗଠନ କରାଯାଇଥିଲା । ଏହି ଶାନ୍ତି କମିଟିର ପ୍ରଥମ ବୈଠକ ଆଜି ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ବୈଠକକୁ ୧୭ଟି ଗ୍ରାମର ପ୍ରତିନିଧିମାନେ ଆସିଥିବା ବେଳେ ଗୁଡ଼ୁପାଙ୍ଗୀ ଗ୍ରାମ ପକ୍ଷରୁ କେହି ଆସି ନଥିଲେ । ସୂଚନା ଯୋଗ୍ୟ ଯେ ଗୁଡ଼ୁପାଙ୍ଗୀ ଗ୍ରାମ ମଧ୍ୟଦେଇ ଯାଇଥିବା ଏକ ଗ୍ରାମ୍ୟରାସ୍ତା ଉପରେ ନିର୍ଭର କରୁଥିବା ଆଖପାଖର ୧୭ଟି ଗ୍ରାମ ଏବଂ ଗୁଡ଼ୁପାଙ୍ଗୀ ମଧ୍ୟରେ ଦୀର୍ଘ ଦିନରୁ ଏହି ରାସ୍ତା ଉପରେ ବିବାଦ ଲାଗି ରହିଛି । ଗୁଡ଼ୁପାଙ୍ଗୀ ଗ୍ରାମ ମଧ୍ୟରେ ଯାଇଥିବା ଏହି ରାସ୍ତା ଉପର ଦେଇ ଅନ୍ୟ ଗ୍ରାମର ଲୋକମାନଙ୍କୁ ଗୁଡ଼ୁପାଙ୍ଗୀ ଗ୍ରାମବାସୀ ବିରୋଧ କରି ଆସୁଛନ୍ତି । ଯାହାକୁ ନେଇ ବିଗତ ଦିନ ମାନଙ୍କରେ ଅନେକଥର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି ି । ଏ ନେଇ ଏହି ୧୭ଟି ଗ୍ରାମବାସୀ ମାନଙ୍କ ପକ୍ଷରୁ ବିଭିନ୍ନ ସମୟରେ ଜିଳ୍ଲା ପ୍ରଶାସନକୁ ଅଭଗତ କରାଯାଇ ଘଟଣାର ଉପରେ ବିହୀତ କାର୍ଯ୍ୟାନୁଷ୍ଠାନ ଏବଂ ସ୍ଥାୟୀ ସମାଧାନ ନିମନ୍ତେ ନିବେଦନ କରାଯାଇ ଆସୁଥିଲା । ପରିସ୍ଥିତକୁ ହୃଦୟଙ୍ଗମ କରି ଜିଲ୍ଲାପ୍ରଶାସନ ପକ୍ଷରୁ ଗତ ମାର୍ଚ୍ଚ ୩୦ ତାରିଖରେ ଏକ ଶାନ୍ତି କମିଟି ଗଠନ କରାଯାଇଥିଲା । ଶାନ୍ତି କମିଟି ପକ୍ଷରୁ ବିଗତ ଦିନ ମାନଙ୍କରେ ବୈଠକ କରିବା ପାଇଁ ଗୁଡ଼ୁପାଙ୍ଗୀ ଏବଂ ଅନ୍ୟ ଗ୍ରାମମାନଙ୍କ ସହିତ ଆଲୋଚନା କରାଯାଇ ତାରିଖ ନିର୍ଦ୍ଧାରଣ କରାଯାଉଥିଲା ବେଳେ ଗୁଡ଼ୁପାଙ୍ଗୀ ଗ୍ରାମ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ନିର୍ଦ୍ଧାରିତ ତାରିଖଦିନ ବିଭିନ୍ନ ଆଳ ଦେଖାଇ ଏଡାଇ ଯାଇଥାନ୍ତି । ଏହି ପରି ବାରମ୍ବାର ଗୁଡ଼ୁପାଙ୍ଗୀ ଗ୍ରାମ ପକ୍ଷରୁ ଦିନ ଗଡ଼ାଇ ଚାଲିଥିବା ବେଳେ ଶାନ୍ତି କମିଟି ପକ୍ଷରୁ ଆଜିର ବୈଠକ ପାଇଁ ଲିଖିତଭାବେ ଉଭୟ ପକ୍ଷଙ୍କୁ ଜଣାଇ ଦିଆଯାଇଥିଲା । ତେବେ ଆଜିର ଅନୁଷ୍ଠିତ ଏହି ବୈଠରେ ଗୁଡ଼ୁପାଙ୍ଗୀ ଗ୍ରାମକୁ ଛାଡ଼ି ଅନ୍ୟ ସମସ୍ତ ଗ୍ରାମ ଯୋଗଦାନ କରିଥିଲେ । ଫଳରେ ଗୁଡ଼ୁପାଙ୍ଗୀ ଗ୍ରାମ ଜାଣିଶୁଣି ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଶାନ୍ତି କମିଟି ବୈଠକକୁ ଆଡ଼େଇ ଯାଉଥିବା ଆଜି ସ୍ପଷ୍ଟ ପ୍ରତୀୟମାନ ହୋଇଥିବା ବେଳେ ଶାନ୍ତି କମିଟିରେ ଏ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଏହି ଶାନ୍ତିକମିଟି ବୈଠକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଳ୍ଲାପାଳ ଲଗ୍ନଜିତ ରାଉତ,ସମାଜସେବୀ ଅରୁଣ କମୁମାର ମହାନ୍ତି,ଆଇନଜୀବୀ ବିପିନ କୁମାର ଧଳ ଏବଂ କାଳୁ ଚରଣ ସ୍ୱାଇଁ,ଡାକ୍ତର ସିଦ୍ଧାର୍ଥ ଦାଶ,ସାମ୍ବାଦିକ ରାମକୃଷ୍ଣ ରଥ, ପ୍ରଦୀପ୍ତ ରଥ,ଅବସରପ୍ରାପ୍ତ ଏସପି ଅମୂଲ୍ୟ କୁମାର ମହାନ୍ତି ଓ ଅକ୍ଷୟ ଦାସ, ସମାଜସେବୀ ରଜତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Related posts