ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଳକ ବାଲୁଗାଁ ପଞ୍ଚାୟତ ଅନ୍ତର୍ଗତ ପାଣିପୋଇଲା ସ୍ଥିତ ଏନ.ଆଇ.ଇ.ଟି ଶିକ୍ଷା ଅନୁଷ୍ଠାନଠାରେ ବିଦ୍ୟା ଆଲୋକ ଚାରିଟେବୁଲ ଟ୍ରଷ୍ଟ ଓ ଭୋଳା ଫାଉଣ୍ଡେସନ ଆନୁକୂଲ୍ୟରେ ସ୍ୱର୍ଗତ ମୁରଲୀଧର ଭୋଳଙ୍କ ସ୍ମୃତିରେ “ବାଲୁଗାଁ ଇତିହାସ” ସଂପର୍କିତ ପୁସ୍ତକ ଉନ୍ମୋଚନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବାଳକୃଷ୍ଣ ମିଶ୍ର, ସମ୍ମାନୀତ ଅତିଥି ଭାବେ ମୈତ୍ରୀ ଯୁବ ସଂସଦ ସମ୍ପାଦକ ପ୍ରଦୀପ କୁମାର ସାହୁ ଓ ସମାଜସେବୀ ନିହାର ରଞ୍ଜନ ସ୍ୱାଇଁ ଯୋଗା ଦେଇଥିଲେ । ଏନ.ଆଇ.ଇ.ଟି ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ଭୋଳ ସଭାରେ ଅଧ୍ୟକ୍ଷତା କରିଥିଲା ବେଳେ “ବାଲୁଗାଁ ଇତିହାସ”ର ରଚୟିତା ଓ ସାହିତ୍ୟିକ ତଥା ଆଇନଜୀବୀ ଚନ୍ଦ୍ରବିଜୟୀ ମିଶ୍ର ‘ମୋ ଗାଁ, ମୋ ମାଟି’ର ରଚନାକାର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଆଇନଜୀବୀ ଶ୍ରୀଯୁକ୍ତ ମିଶ୍ର ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ ଯେ, ବାଲୁଗାଁର ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ମୁରଲୀ ଭୋଳ ଚାହୁଁଥିଲେ ବାଲୁଗାଁର ସର୍ବଙ୍ଗୀନ ଉନ୍ନତି ସହିତ ବାଲୁଗାଁ ଅଞ୍ଚଳର ଇତିହାସ ଲେଖାଯାଉ । ଯାହାକି ପରବର୍ତ୍ତୀ ସମୟରେ ସାହିତ୍ୟିକ ଚନ୍ଦ୍ର ବିଜୟୀ ମିଶ୍ରଙ୍କ ଦ୍ୱାରା ଓ ସମାଜସେବୀ ସୁରେଶ ଚନ୍ଦ୍ର ଭୋଳଙ୍କ ସହାୟତାରେ ସାକାର ହୋଇ ପାରିଛି।

