ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଆଚରଣବିଧି ନିମନ୍ତେ ସର୍ବଦଳୀୟ ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ) ଆଜି ନୟାଗଡ଼ ଡିଆରଡିଏ ପରିସରରେ ଥିବା ସୃଜନ ସଭାଗୃହରେ ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସମ୍ବନ୍ଧରେ ଏକ ସର୍ବଦଳୀୟ ବୈଠକ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନକୁ କୋଭିଡ୍ ଗାଇଡ୍ ଲାଇନ ମଧ୍ୟରେ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ନିର୍ବାଚନ ପର୍ଯବେକ୍ଷକ(ସାଧାରଣ) ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ, ପଂଚାୟତ ଓ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହୋଇଥିବା ନିର୍ବାଚନ ପ୍ରକ୍ରିୟାରେ ସନ୍ତୋଷ ପ୍ରକାଶ କରିଥିଲେ । ସେହିପରି ନିର୍ବାଚନ ପର୍ଯବେକ୍ଷକ(ଅର୍ଥ) କହିଲେ ଯେ, ନିର୍ବାଚନରେ ପ୍ରାର୍ଥୀମାନେ ସେମାନଙ୍କର ଦୈନନ୍ଦିନ ଖର୍ଚ୍ଚର ବିବରଣୀ ଏକ ରେଜିଷ୍ଟରରେ ଲିପିବଦ୍ଧ କରି ରଖିବେ । ଉକ୍ତ ରେଜିଷ୍ଟରକୁ ନିର୍ବାଚନ ମଧ୍ୟରେ ଦୁଇ ତିନିଥର ତଦାରଖ କରାଯିବ । ଏହାପରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସିଦ୍ଧାର୍ଥ କଟ୍ଟାରିଆ କୋଭିଡ୍ ନୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଉପରେ ଗୁରୁତ୍ୱ ଆରୋପ କରି କହିଲେ ଯେ, ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ବଜାୟ ରଖିବା, ପାଂଚଜଣଙ୍କୁ ନେଇ ଭୋଟ ପ୍ରଚାର ଦଳ କରିବା । ସେହିପରି ପଥପ୍ରାନ୍ତ ପ୍ରଚାର, ବିଜେତା ପ୍ରଶେସନ ର‌୍ୟାଲି, ଭୋଟ ଗଣନା ଗୃହ ସମ୍ମୁଖରେ ଗହଳି ନ କରିବା ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ । ଏହାର ଅମାନ୍ୟ କଲେ ପୋଲିସ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ । ଏହାପରେ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶ୍ରୀ ଲଗ୍ନଜିତ ରାଉତ ନିର୍ବାଚନ ଆଚରଣ ବିଧି ଉପରେ ଗୁରୁତ୍ୱ ଦେଇ କହିଲେ ଯେ, ଭାଷା, ଜାତି, ଧର୍ମ, ବର୍ଣ, ସଂପ୍ରଦାୟ,ଅର୍ଥ କେଉଁଥିରେ ଭୋଟରଙ୍କୁ ପ୍ରଭାବିତ ନକରି ସ୍ୱଚ୍ଛ, ଅବାଧ, ନିରପେକ୍ଷ ମତଦାନ ଉପରେ ସଚେତନ ରହିବେ । ଧର୍ମ ଅନୁଷ୍ଠାନ,ସ୍କୁଲ, କଲେଜ ଇତ୍ୟାଦିରେ ନିର୍ବାଚନୀ ପ୍ରଚାର ସଭା ବା ଭୋଜିଭାତର ଆସର କରିପାରିବେ ନାହିଁ । ଉତେଜନା ସୃଷ୍ଟି ହେଲା ପରି କୌଣସି ବକ୍ତବ୍ୟ ଦେବେ ନାହିଁ । ଡାକବାଜି ଯନ୍ତ୍ର ବ୍ୟବହାର ନିମନ୍ତେ ଉପଯୁକ୍ତ କତୃପକ୍ଷଙ୍କ ଠାରୁ ଅନୁମତି ଆଣିବେ । ପ୍ରାର୍ଥୀମାନେ ସେମାନଙ୍କର ନିର୍ବାଚନ ପ୍ରଚାର ନିମନ୍ତେ ବ୍ୟବହାର କରୁଥିବା ବ୍ୟାନର, ପୋଷ୍ଟର, ଲିଫ୍‌ଲେଟରେ ମୁଦ୍ରଣ ସଂସ୍ଥାର ନାମ ରହିବ । ବ୍ୟାନର, ପୋଷ୍ଟର ଇତ୍ୟାଦି କୌଣସି ସରକାରୀ ଅନୁଷ୍ଠାନ, ଧର୍ମାନୁଷ୍ଠାନ,ସ୍କୁଲ, କଲେଜର ପ୍ରାଚୀର କିମ୍ବା ପରିସରରେ ଲଗାଯାଇପାରିବ ନାହିଁ । ସର୍ବସାଧାରଣ ରାସ୍ତା ଉପରେ ବ୍ୟାନର କିମ୍ବା ପୋଷ୍ଟର ଝୁଲାଯାଇପାରିବ ନାହିଁ । ନିର୍ବାଚନର ୩୬ଘଂଟା ପୂର୍ବରୁ ପ୍ରଚାର ବନ୍ଦ ରହିବ । କୌଣସି ରାଜନୈତିକ ଦଳ ପକ୍ଷରୁ ନିର୍ବାଚନ ଦିନ ମତଦାତାଙ୍କୁ ଗାଡ଼ି ବା ଅଟୋ ଯୋଗେ ଭୋଟକେନ୍ଦ୍ରକୁ ନେବାଆଣିବା କରିବାକୁ ବାରଣ କରାଯାଇଛି । ଜିଲ୍ଲା ପରିଷଦ, ସରପଂଚ ଓ ସମିତିସଭ୍ୟର ପ୍ରାର୍ଥୀମାନେ ସେମାନଙ୍କର ନିର୍ବାଚନ ପ୍ରଚାର ନିମନ୍ତେ ସଂପୃକ୍ତ ତହସିଲଦାରଙ୍କ ଠାରୁ ଅନୁମତି ନେଇ ଯାନ ବ୍ୟବହାର କରିପାରିବେ । ଜିଲ୍ଲା ପରିଷଦର ପ୍ରାର୍ଥୀମାନେ ୫ଲକ୍ଷ ଟଙ୍କା, ସରପଂଚ ଓ ସମିତିସଭ୍ୟ ପ୍ରାର୍ଥୀମାନେ ୨ଟକ୍ଷ ଟଙ୍କା ପର୍ଯ୍ୟନ୍ତ ସର୍ବାଧିକ ଖର୍ଚ୍ଚ କରିପାରିବେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବସ ଚନ୍ଦ୍ର ରାୟ, ଜିଲ୍ଲା ପଂଚାୟତ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ ।

Related posts