ଶିଙ୍ଗ ବାଦ୍ୟରେ ଦୁଲୁକିଲା ମଞ୍ଚ ସମ୍ବଲପୁରୀ ଢାପ ନୃତ୍ୟରେ ଝୁମିଲେ ଦର୍ଶକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶାର ପ୍ରାଚୁର୍ଯ୍ୟମୟ ପାରମ୍ପରିକ ଲୋକକଳା ଓ ସଂସ୍କୃତି ଆମର ପରିଚୟ। କେବଳ ମନୋରଞ୍ଜନର ମାଧ୍ୟମ ହିସାବରେ ନୁହେଁ ବରଂ ଲୋକକଳା ଆମ ସାମାଜିକ ଜୀବନ ସହ ଅଙ୍ଗାଙ୍ଗୀ ଭାବେ କାହିଁ କୋଉ ଅମଳରୁ ଜଡ଼ିତ। ଆମର ଅନନ୍ୟ ପର୍ବପର୍ବାଣୀ ସହ କୃଷି ଓ କୃଷକଙ୍କ ମହତ୍ତ୍ୱକୁ ମଧ୍ୟ ଅନେକ ଲୋକକଳା ନିଜ ଭିତରେ ଧାରଣ କରିଛନ୍ତି। ଲୋକକଳାକୁ ଆହୁରି ଅଧିକ ରୁଦ୍ଧିମନ୍ତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୧, ଏପ୍ରିଲ ୨୦୧୧ରେ ରାଜ୍ୟ ଲୋକକଳା ସଂଘର ଶୁଭାରମ୍ଭ ହୋଇଥିଲା।
ଦୀର୍ଘ ଏକ ଦଶନ୍ଧି ଧରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଏହି ସଂଘ ଲୋକକଳାର ପ୍ରଚାର ପ୍ରସାର ସହ ଏଥିସହ ଜଡିତ ଲୋକକଳାକାର ମାନଙ୍କ ଆର୍ଥିକ ସହାୟତା ଲାଗି ନିରନ୍ତର ପ୍ରୟାସ ଜାରି ରଖିଛି।
ଏହି ପରିପ୍ରେକ୍ଷୀରେ ଆମ ରାଜ୍ୟର ପ୍ରଲୁବ୍ଧ ଲୋକକଳାର ପ୍ରଚାର ପ୍ରସାର ପାଇଁ ପ୍ରତ୍ୟେକ ମାସରେ ଗୋଟିଏ ଦିନ ଆମ ଲୋକକଳା ଆମ ସଂସ୍କୃତି କାର୍ଯ୍ୟକ୍ରମ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଥାଏ। କିନ୍ତୁ ଆମ ପରିଚୟ ଆମ ଲୋକକଳାର ପ୍ରଚାର ପ୍ରସାରକୁ ଆହୁରି ବ୍ୟାପକ କରି ଜନମାନସରେ ଏହାର ଆଦୃତିକୁ ଦ୍ବିଗୁଣିତ କରିବା ପାଇଁ ଆଞ୍ଚଳିକ ସ୍ତରୀୟ ଆମ ଲୋକକଳା ଆମ ସଂସ୍କୃତି କାର୍ଯ୍ୟକ୍ରମ ବିଭିନ୍ନ ଜିଲ୍ଲା ମାନଙ୍କରେ ଅନୁଷ୍ଠିତ ହେଉଛି।
ଏହି ପରିପ୍ରେକ୍ଷୀରେ ଆଜି ନୟାଗଡ଼ ସଦର ମହକୁମା ଦକ୍ଷିଣକାଳୀ ମନ୍ଦିର ପଡ଼ିଆ ପ୍ରାଙ୍ଗଣରେ ଆୟୋଜିତ ହେଇଥିବା ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ, ଉଚ୍ଚ ଶିକ୍ଷା, କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମୁଖ୍ୟ ଅତିଥି ରୂପେ ନିଜର ସଦୟ ଉପସ୍ଥିତ ଜାହିର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ରଂଜନ କୁମାର ଦାସ, ନୟାଗଡ଼ ଜିଲ୍ଲାପାଳ ଡ଼ାଃ ପୋମା ଟୁଡୁ, ରାଜ୍ୟ ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ବାସୁଦେବ ମାଳବିଶୋଇ, ରାଜ୍ୟ କଳାକାର ସଂଘ ଉପସଭାପତି ଶ୍ରୀ ଅବନୀ କୁମାର ମିଶ୍ର ଓ ନୟାଗଡ଼ ଜିଲ୍ଲା କଳାକାର ସଂଘ ଉପସଭାପତି ଶ୍ରୀ ଶରତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ସନ୍ଧ୍ୟା ୫ଟାରୁ ଆରମ୍ଭ ହେଇଥିବା ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲା ଆଦିପୁରାର ଗୋପାଳ ଲଉଡ଼ି, ସମ୍ବଲପୁର ଲହଡ଼ି ତରଫରୁ ଢାପ, ନୟାଗଡ଼ର ଶିଙ୍ଗ ବାଦ୍ୟ ଓ କଳିଙ୍ଗ ପାଇକ କ୍ରିଏସନ ତରଫରୁ ପାଇକ ଆଖଡା ନୃତ୍ୟ ପରିବେଷଣ କରାଯାଇଥିଲା। ନିଜ ବକ୍ତବ୍ୟରେ ମାନ୍ୟବର ମନ୍ତ୍ରୀ ଡଃ ସାହୁ ଓଡ଼ିଶାର ଲୋକକଳା ଓ କଳାକାର ମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବାରେ ରାଜ୍ୟ ସରକାର ନେଉଥିବା ପଦକ୍ଷେପର ଭୁୟସୀ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଲୋକକଳା ସାମୁହିକ ଚେତନାର ପରିସ୍ଫୁଟନରେ ସହାୟକ ହେବା ସହ ଐକ୍ୟତା ବିକାଶ କରିଥାଏ ବୋଲି ମଧ୍ୟ କହିଥିଲେ। ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ ଉପସ୍ଥିତ ଦର୍ଶକଙ୍କୁ ସମ୍ବୋଧିତ କରି କହିଥିଲେ ” ଅନନ୍ୟ କଳାରେ ପରିପୁଷ୍ଟ ଥିବା କଳାକାର ମାନଙ୍କୁ ଆଉ ବଣ ମଲ୍ଲୀ ରୂପେ ସେହି ବଣରେ ସୀମିତ ହୋଇ ରହିବାକୁ ଦିଆଯିବ ନାହିଁ। ଓଡ଼ିଶାର ବିଭବ ଆମ ଲୋକକଳାର ପ୍ରଚାର ପ୍ରସାର ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ନିଆଯାଉଥିବା ପଦକ୍ଷେପ ସମଗ୍ର ଭାରତରେ ଅନନ୍ୟ ଓ ଆଦର୍ଶ ଏବଂ ଏହି ପ୍ରୋତ୍ସାହନ ଦ୍ୱାରା ଉତ୍କୃଷ୍ଟତା ହାସଲ କରିଥିବା କଳାକାର ମାନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରାଯାଇ କେବଳ ସେହି ଜିଲ୍ଲାରେ ମାନଙ୍କୁ ନୁହେଁ ବରଂ ସମଗ୍ର ରାଜ୍ୟର ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବାସୀଙ୍କ ସମ୍ମୁଖରେ ପ୍ରଦର୍ଶନ କରାଯାଇ ପାରୁଛି।” ଏହି ଅବସରରେ ମାନନୀୟା ଜିଲ୍ଲାପାଳ ମହୋଦୟା ଲୋକକଳାକୁ ପୁନରୁଦ୍ଧାର ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ନିଆଯାଉଥିବା ପଦକ୍ଷେପକୁ ସାଧୁବାଦ ଜଣାଇଥିଲେ। ଏହି ଅବସରରେ ପ୍ରତିବର୍ଷ ନୟାଗଡ଼ ଜିଲ୍ଲାରେ ଲୋକକଳା ମହୋତ୍ସଵ କୁଆଁରିଆ ଅନୁଷ୍ଠିତ ହେବ ବୋଲି ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା। କୋଭିଡ ନିୟମର ସମ୍ପୂର୍ଣ୍ଣ ଅନୁପାଳନ ପୂର୍ବକ ଆୟୋଜିତ ହେଇଥିବା ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣକୁ ଘରେ ବସି ଅନେକ ଦର୍ଶକ ବିଭାଗର ଫେସବୁକ ପେଜ ଓ ୟୁଟ୍ୟୁବ ଚ୍ୟାନେଲରେ ଦେଖିବାର ସୁଯୋଗ ପାଇଥିଲେ।
ପରିଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଟଙ୍କଧର ଭୋଇ ଲୋକକଳା ଆମ ସ୍ୱତନ୍ତ୍ର ପରିଚାୟକ ହେଇଥିବାରୁ ଏହାର ପ୍ରଚାର ପ୍ରସାର ଓ ଆଦର ଆମ ଗୌରବବୃଦ୍ଧି ଦିଗରେ ସହାୟକ ହେବ ବୋଲି ମତବ୍ୟକ୍ତ କରି ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମଟିକୁ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ପ୍ରଶାସନ ନୟାଗଡ଼ଙ୍କ ମିଳିତ ସହଭାଗିତାରେ ଅନୁଷ୍ଠିତ ହୋଇଥିଲା।