ଅସହାୟ କୁନି ବେୱାଙ୍କ ଦୁଇ ଝିଅଙ୍କୁ ସହାୟତାର ହାତ ବଢ଼ାଇଲା ନୟାଗଡ଼ ଜିଲ୍ଲା ପ୍ରଶାସନ

ରଣପୁର,(ନୟାଗଡ ଦର୍ପଣ): ରଣପୁର ବ୍ଲକ ଚାନ୍ଦପୁର ଅଞ୍ଚଳର କେରଣ୍ଡାଟାଙ୍ଗୀ ପଞ୍ଚାୟତ ବୃନ୍ଦାବନବିହାରୀପୁର ଗ୍ରାମର ମଶାଣିପଡା ସାହିରେ କୁନି ବେୱାଙ୍କ ଦୁଇ ଝିଅଙ୍କୁ ପାଠ ପଢ଼ିବା ପାଇଁ ସହାୟତାର ହାତ ବଢାଇଲା ଜିଲ୍ଲା ପ୍ରଶାସନ । କୁନି ବେୱାଙ୍କର ସ୍ୱାମୀ କି ପୁଅ କେହି ନାହାନ୍ତି । ପରିବାର କହିଲେ କୁନି ବେୱା ଓ ତାଙ୍କ ଦୁଇ ଝିଅ ‘ନାରଖାରୀ ପରିଡା ଓ କଳ୍ପନା ପରିଡା’, ସ୍ୱାମୀ ଙ୍କ ଦେହାନ୍ତ ପରେ ବହୁ କଷ୍ଟରେ ଦୁଇ ଝିଅଙ୍କୁ ଧରି ଦିନ କାଟୁଥିଲେ କୁନି ବେୱା । କୁନି ପରିଡା ଜଣେ ମାନସିକ ରୋଗୀ (ପାଗଳ) ଯେକି ଘର ଚଳାଇବାରେ ସକ୍ଷମ ନୁହଁନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ ମାନସିକ ଭାରସାମ୍ୟ ହରାଇ ବସିଥିଲେ କୁନି । ଦୁଇ ଝିଅଙ୍କ ଚିନ୍ତା ସଦାସର୍ବଦା ଲାଗି ରହିଥିଲା । ସରକାରଙ୍କ ପକ୍ଷରୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ଦିଆଯାଇଥିଲା । ଏତଦ ବ୍ୟତୀତ ଅନ୍ତଦ୍ୱର୍ୟ ଯୋଜନାରେ ଚାଉଳ ଓ ବିଧବା ଭତ୍ତା ପାଉଥିଲେ କୁନି ବେୱା । ଦୁଇ ଝିଅଙ୍କୁ ନେଇ ପରିବାର ଚଳାଇବା ଓ ଉଚ୍ଚ ଶିକ୍ଷିତ କରାଇବା କଷ୍ଟକର ହୋଇ ପଡ଼ିଥିଲା । ଦୁଇ ଝିଅ କଷ୍ଟ କରି ଏକ ଦେଶୀ କୁକୁଡ଼ା ଫାର୍ମ ଚଳାଉଥିଲେ, ଶହେରୁ ଊର୍ଦ୍ଧ୍ଵ କୁକୁଡା ରଖି ଏହାର ଅଣ୍ଡା ଓ କୁକୁଡା ବିକ୍ରି କରି ପରିବାରକୁ ସାହାଯ୍ୟ କରୁଥିଲେ । ଦୁଇ ଭଉଣୀଙ୍କର ପଢ଼ିବା ପାଇଁ ଇଛାଶକ୍ତି ଥିଲେ ମଧ୍ୟ ଅର୍ଥ ସାଜୁଥିଲା ବାଧକ । ବଡ଼ ଝିଅ ନାରଖାରି ପରିଡ଼ା ଦୁଇ ବର୍ଷ ତଳୁ +୨ ପାସ କରିଥିଲେ ହେଁ ଅର୍ଥ ଲାଗି ପାଠ ପଢ଼ିପାରି ନଥିଲେ । ସାନ ଝିଅ କଳ୍ପନା +୨ ପାସ କରିବା ପରେ ଦୁଇ ଭଉଣୀ ପଢ଼ିବା ପାଇଁ ମନ ବଳାଇଥିଲେ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଥିଲେ ଦୁଇ ଭଉଣୀ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ନୟାଗଡ଼ ଜିଲ୍ଲାପାଳଙ୍କୁ ସାହାର୍ଯ୍ୟ କରିବା ପାଇଁ ପରାମର୍ଶ ଆସିଥିଲା । ଜିଲ୍ଲାପାଳ ଡ. ପୋମା ଟୁଡୁ ରେଡକର୍ସ ଫଣ୍ଡରୁ ରଣପୁର ତହସିଲ ଦାରଙ୍କୁ ଅର୍ଥ ପ୍ରଦାନ କରି ତୁରନ୍ତ ଦୁଇ ଭଉଣୀଙ୍କ ଉଚ୍ଚ ଶିକ୍ଷା ପାଇଁ ସାହାଯ୍ୟ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ବର୍ତମାନ ଏହି ଦୁଇ ଭଉଣୀ ନିରାକାରପୁର କ୍ଷେତ୍ରବାସୀ ଦୟାନନ୍ଦ ଆଙ୍ଗେ୍ଳାଦେବୀ ଡିଗ୍ରୀ କଲେଜରେ +୩ ରାଜନୀତି ବିଜ୍ଞାନରେ ଆଡମିଶନ କରିଛନ୍ତି । ଆଗକୁ ସେମାନଙ୍କର ଶିକ୍ଷା ଖର୍ଚ୍ଚ ନୟାଗଡ଼ ଜିଲ୍ଲା ପ୍ରଶସନ ବୁଝିବ ବୋଲି ଜଣା ପଡିଛି । ଏହାକୁ ନେଇ ବିଧବା ମାଆ କୁନି ଓ ଦୁଇ ଝିଅ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ନୟାଗଡ଼ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।

Related posts