ଧର୍ମର ଅଜଣା ସଂଜ୍ଞା

ଅଣୁଗଳ୍ପ – ଧର୍ମର ଅଜଣା ସଂଜ୍ଞା

“ଜଲଦି ଆସ କେତେ ସମୟ ସଜେଇ ହେଉଛ”, – ବାହାରୁ ଡାକ ପକାଇଲେ ରଶ୍ମି ବାବୁ।
“ହଁ ଯାଉଛି, ଯାଉଛି” କହି ତରବରରେ ଧାଇଁ ଆସିଲେ ସ୍ମିତା ଦେବୀ।
ଉଭୟ କାରରେ ବସି ଚାଲିଗଲେ। ଆଜି ସଂକ୍ରାନ୍ତି ତେଣୁ ଦମ୍ପତି ମନ୍ଦିର ଆଡେ ମୁହାଁଇଛନ୍ତି। ଘରଠୁ ଅଳ୍ପ ବାଟ ଗଲେ ପଡ଼େ ନାରାୟଣୀ ମନ୍ଦିର, ଅଳ୍ପ କହିଲେ ସେମିତି ଅଢେଇ ତିନି କିଲୋ ମିଟର। ପ୍ରାୟତଃ ସବୁ ସଂକ୍ରାନ୍ତିରେ ସକାଳୁ ସ୍ନାନ ସାରି ମନ୍ଦିର ଯାଆନ୍ତି ଦମ୍ପତି। ମାସରେ କେବଳ ସେହି ଦିନ ବୋଧେ ଶାଢ଼ୀ ପିନ୍ଧନ୍ତି ସ୍ମିତା ଦେବୀ। ଆଭିଜାତ୍ୟର ସଂକେତ ରୂପେ ଡ୍ରେସ ପିନ୍ଧିବା ତାଙ୍କର ଏକ ଅଭ୍ୟାସ।

ମନ୍ଦିର ଯିବା ବାଟରେ ପଡ଼େ କଲେଜ୍, ଏବେ ଲକ୍ ଡାଉନ୍ ପରେ କଲେଜ ଖୋଲିଗଲାଣି ତେଣୁ ରାସ୍ତା ଟିକେ ଗହଳି ଥିଲା ତା ସାଙ୍ଗକୁ ପୁଣି ଏବେ ପଞ୍ଚୁକ ଚାଲିଛି ତେଣୁ ଏବେ ନୂଆ ନୂଆ ଧାର୍ମିକ ବ୍ୟକ୍ତି ଜନ୍ମ ହେବା ସ୍ଵାଭାବିକ କଥା।
ସ୍ମିତା ଦେବୀ କହିଲେ,”ଓଃ, କି ଗହଳି ରାସ୍ତାରେ। ମନ୍ଦିରରେ ବି ଠାକୁର ଦର୍ଶନ ପାଇଁଁ ଧାଡ଼ିରେ ଛିଡା ହେବାକୁ ପଡିବ ଲାଗୁଛି।”

ରଶ୍ମୀ ବାବୁ ମୁଣ୍ଡ ଟୁଙ୍ଗାରି ହଁ କଲେ। ରଶ୍ମୀ ବାବୁ ମନ୍ଦିର ପାଖରେ ଥିବା ପୂଜା ଭଣ୍ଡାର ନିକଟରେ ଗାଡ଼ି ରଖି ଭୋଗ କିଣିବା ପାଇଁ ଗଲେ। କାର୍ତ୍ତିକ ମାସ ପଞ୍ଚୁକ ସମୟ ତେଣୁ ସବୁ ଜିନିଷର ଦର ଆକାଶ ଛୁଆଁ।

ସେତେବେଳକୁ ପତ୍ନୀ ଛିଡା ହୋଇଥିଲେ ଗାଡ଼ି ପାଖେ। ମଳିନ ମୁହଁ, ଛିଡା ପୋଷାକ ଆଉ ଅପରିଷ୍କାର ବେଶଭୂଷା ସମ୍ପନ୍ନ ବ୍ୟକ୍ତି ଜଣେ ସ୍ମିତା ଦେବୀଙ୍କ ନିକଟକୁ ଆସି କହିଲେ,”ମାଆ ! କାଲି ଠାରୁ କିଛି ଖାଇନି, କିଛି ଖାଇବାକୁ ଦିଅନ୍ତୁ। ଭଗବାନ ଆପଣଙ୍କୁ ସମସ୍ତ ଖୁସି ଦେବେ।” ତାର ସେହି କଥା ଆଡ଼କୁ ତିଳେ ହେଲେ ଧ୍ୟାନ ନ ଦେଇ ତାକୁ ଉପେକ୍ଷା କରି ଚାଲିଗଲେ ମନ୍ଦିର ଆଡ଼କୁ। ଭୋଗ କିଣି ମନ୍ଦିରକୁ ଆସିଲେ ରଶ୍ମୀ ବାବୁ। ସ୍ମିତା ଦେବୀଙ୍କୁ ସୂଚିତ କରିବା ଉଦ୍ଦେଶ୍ୟରେ କହିଲେ ଏତକ ଭୋଗ ଶହେ ଟଙ୍କା। ଏ ଦର ଦାମ୍ ଯୋଉ ବେଗରେ ବଢୁଛି ଆଉ କିଛି ଦିନ ଗଲେ ମନ୍ଦିର ଆସିବା ବି ସମ୍ଭଵ ହେବ ନାହିଁ ବୋଧେ।

ମନ୍ଦିରରେ ଲମ୍ବା ଧାଡ଼ି , ଦେଖିଲେ ଲାଗୁଛି ଅତି କମରେ ଦର୍ଶନ କରିବାକୁ ଦେଢ଼ ଘଣ୍ଟା ଲାଗିବ। ତେଣୁ ଏତେ ଲମ୍ବା ଧାଡ଼ିରେ ଛିଡା ନ ହୋଇ ପାଖରେ ଥିବା ପିଣ୍ଡିରେ ବସିଗଲେ ଉଭୟ। ସେଠାରେ ଏକ ଫଳକ ଲଗା ହୋଇଥିଲା । ସବୁ ଆଡେ ଆଖି ବୁଲାଉ ବୁଲାଉ ସ୍ମିତା ଦେବୀଙ୍କ ନଜର ଘେରକୁ ଆସି ସାରିଥିଲା ସେହି ଫଳକଟି ଯେଉଁଥିରେ କିଛି ଲୋକଂକ ନାମ ଓ ଠିକଣା ଲେଖା ହୋଇଥିଲା। ଫଳକ ଉପରେ ଆଖି ପକଉ ପକଉ ସ୍ମିତା ଦେବୀ ଦେଖିଲେ ସେଥି ତାଙ୍କ ଅଫିସର ସହ କର୍ମୀ ବବିତାଙ୍କ ନାମ ଓ ଠିକଣା ଲେଖା ହୋଇଛି। ଏହା ଦେଖି ଇର୍ଷା ନାମକ ବିଜୁଳିଟି ଦୋୖଡିଗଲା ସ୍ମିତା ଦେବୀଙ୍କ ଶିରା ପ୍ରଶିରାରେ ଯାହା ତୁରନ୍ତ ମସ୍ତିଷ୍କ ପାଖରେ ପହଞ୍ଚି ସ୍ନାୟୁ ପ୍ରକ୍ରିୟାକୁ ବ୍ୟତିବ୍ୟସ୍ତ କରି ପକାଇଲା। ସେ ସଙ୍ଗେ ସଙ୍ଗେ ଏ ବିଷୟରେ ରଶ୍ମି ବାବୁଙ୍କୁ ପଚାରିଲେ।

“ହେଇଟି!ଦେଖିଲ ଏଇ ଫଳକରେ ଆମ ଅଫିସ ବବିତାଙ୍କ ନାମ କାହିଁକି ଲେଖା ଯାଇଛି?”

“ଏହା ଆଜୀବନ ସଭ୍ୟ ଫଳକ, ମନ୍ଦିର ଫଣ୍ଡକୁ ପଇସା ଦେଇ ଆଜୀବନ ସଭ୍ୟ ହେଲେ ମନ୍ଦିରରେ ହେଉଥିବା ସମସ୍ତ ପର୍ବରେ ସ୍ଵତନ୍ତ୍ର ନିମନ୍ତ୍ରଣ କରାଯିବ। ଆଉ ଏ ଫଳକରେ ନାମ ମଧ୍ୟ ଯୋଡ଼ା ଯିବ।”
ଏହା ଶୁଣି ସଙ୍ଗେ ସଙ୍ଗେ ଟଙ୍କା ଦେଇ ସଦସ୍ୟ ହେବାକୁ କହିଲେ ରଶ୍ମୀ ବାବୁଙ୍କୁ। ରଶ୍ମୀ ବାବୁ ଉପାୟ ଶୂନ୍ୟ ହୋଇ ମନ୍ଦିର ଅଫିସକୁ ଯାଇ ସବିଶେଷ ସୂଚନା ସଂଗ୍ରହ କଲେ। ମନ୍ଦିରର ନିୟମାନୁଯାୟୀ ଆଜୀବନ ସଭ୍ୟ ହେବାକୁ ହେଲେ ପ୍ରଥମେ ତିନି ହଜାର ଟଙ୍କା ଦେବାକୁ ପଡ଼ିବ ଏହା ପରେ ପ୍ରତି ବର୍ଷ ପାଞ୍ଚ ଶହ ଦେବାକୁ ପଡ଼ିବ। ଏହା ଶୁଣି ରଶ୍ମି ବାବୁଙ୍କ ତିଳେ ହେଲେ ଇଚ୍ଛା ହେଉ ନଥାଏ କିନ୍ତୁ ସ୍ମିତା ଦେବୀଙ୍କ କଥାରେ ବାଧ୍ୟ ହୋଇ ଫର୍ମ ଟିଏ ପୂରଣ କରି ତିନି ହଜାର ଟଙ୍କା ନିକଟସ୍ଥ ଏ ଟି ଏମ୍ ରୁ ଆଣି ଦେଲେ। ଏଥର ଖୁସି ହୋଇଗଲେ ସ୍ମିତା ଦେବୀ , ସେ ମନେ ମନେ ଭାବୁଥିଲେ ମୋ ନାମ ଏ ଫଳକରେ ଲେଖା ହେବା ପରେ ଫଟୋଟିଏ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଦେବି।

ଏଥର ଗହଳି କମି ଆସିଲାଣି। ରଶ୍ମୀ ବାବୁ କହିଲେ , “ଆସ ଏଥର ଦର୍ଶନ କରିବାକୁ ଯିବା।” ତାଙ୍କ କଥା ଶୁଣି ପ୍ରକୃତିସ୍ଥ ହେଲେ ପତ୍ନୀ। ଠାକୁର ଦର୍ଶନ ପାଇଁଁ ଉଭୟ ଗଲେ ମୁଖ୍ୟ ମନ୍ଦିର ଭିତରକୁ। ବ୍ରାହ୍ମଣଙ୍କୁ ହାତକୁ ବଢେଇଦେଲେ ଶହେ ଟଙ୍କା ଦେଇ କିଣିଥିବା ଭୋଗ। କିଛି କ୍ଷଣ ମନ୍ତ୍ର ପଠନ ପରେ ବ୍ରାହ୍ମଣ କିଛି ଭୋଗ ରଖି ଦେଇ ଆଣି ଥୋଇଦେଲେ ଭୋଗ ସବୁ। ପକେଟ୍ ରୁ କୋଡିଏ ଟଙ୍କା କାଢି ବଢେଇ ଦେଲେ ରଶ୍ମୀ ବାବୁ ବ୍ରାହ୍ମଣଙ୍କ ଆଡ଼କୁ। ବ୍ରାହ୍ମଣ ଜଣଙ୍କ “ସର୍ବାରିଷ୍ଟ ଖଣ୍ଡନ ହେଉ” କହି ଚାଲିଗଲେ। ଏବେ ଦମ୍ପତି ଚପଲ ପିନ୍ଧି ଗାଡ଼ି ପାଖକୁ ଗଲେ ଏବଂ ଗାଡ଼ି ଷ୍ଟାର୍ଟ କରି ରାସ୍ତାର ଧୂଳି ଉଡେଇ ଚାଲିଗଲେ।
ତାଙ୍କୁ ସେତେବେଳୁ ଦେଖୁଥିଲା ସେହି ମଳିନ ଚେହେରା ଧାରୀ ଭୋକିଲା ଭିକାରୀ ଜଣଙ୍କ। କାର ପଛରେ ଉଡି ଯାଉଥିବା ଧୂଳି ଆଡ଼କୁ ଚାହିଁ ମନେ ମନେ ଭାବୁଥିଲା ଧର୍ମର ସଂଜ୍ଞା ଆଉ ଆଭିଜାତ୍ୟର ନିୟମ।
ଭୋକିଲା ପେଟକୁ ଆଉଁଶି ଦେଇ କହୁଥିଲା,” ଯଦି ମାେ ପାଖରେ ବି ନାମ ଫଳକଟିଏ ଥାଆନ୍ତା ! “

ଜୀବନ ପ୍ରଦୀପ ପ୍ରଧାନ
ଭୋଗରା, ଦଶପଲ୍ଲା, ନୟାଗଡ଼
ମାେ- ୬୩୭୦୨୭୨୯୯୦

Related posts