5T ଆଧାରରେ ରୂପାନ୍ତରିତ ହେବ ଘୋଳାହାଣ୍ଡିର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ସ୍କୁଲରେ ତିଆରି ହୁଏ ଦେଶର ଭବିଷ୍ୟତ। ଜାତିର ଭବିଷ୍ୟତ । ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ। ପାଠ ସହ କ୍ରୀଡା, ସଂଗୀତ ସବୁ କ୍ଷେତ୍ରରେ ଓଡିଶାର ଗୌରବ ବଢାନ୍ତୁ । ନୂଆ ନୂଆ ଟେକ୍ନୋଲୋଜି ବିଷୟରେ ଜାଣନ୍ତୁ । ବଡ ବଡ ସ୍ବପ୍ନ ଦେଖନ୍ତୁ ଓ ଜୀବନର ସବୁ ଚ୍ୟାଲେଞ୍ଜକୁ ସାମନା କରିବା ପାଇଁ ଆତ୍ମବିଶ୍ବାସର ସହ ଆଗକୁ ବଢନ୍ତୁ । ଏହା ହିଁ ହେଉଛି ସ୍କୁଲ ରୂପାନ୍ତରର ଲକ୍ଷ୍ୟ। ଏ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସହର ଓ ଗାଁ’ ସ୍କୁଲମାନଙ୍କ ଭିତରେ ଥିବା ତଫାତକୁ ଦୂର କରିଛି। ଗାଁ’ ସ୍କୁଲରେ ଆଜି ସହରର ଭଲ ଭଲ ବେସରକାରୀ ସ୍କୁଲର ପରିବେଶ ସୃଷ୍ଟି ହୋଇଛି । ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥା ହେଲା ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ଡାକ୍ତର, ଇଞ୍ଜିନିୟର ହେବାର ସ୍ବପ୍ନ ଯେପରି ସାକାର ହୋଇପାରିବ, ସେଥିପାଇଁ ରାଜ୍ୟ ସରକାର ୧୫ ପ୍ରତିଶତ ଆସନ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ କରିଛନ୍ତି। ରାଜ୍ୟ ସରକାରଙ୍କ 5T ଆଧାରରେ ରୂପାନ୍ତରିତ ହେବ ଘୋଳାହାଣ୍ଡିର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ। ଏନେଇ ଆଜି ଦଶପଲ୍ଲା ମଣ୍ଡଳ ଉନ୍ନୟନ ଅଧିକାରୀ ବିଶ୍ୱ ରଂଜନ ବିଶ୍ୱାସ, ବ୍ଳକ ଶିକ୍ଷା ଅଧିକାରୀ ପ୍ରଦୀପ୍ତ କୁମାର ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଯନ୍ତ୍ରୀ ପ୍ରମୁଖ ବ୍ଲକର ୯ଟି ଉଚ୍ଚ ବିଦ୍ୟାଳୟ ଯଥା ଦେଢ଼ସର, ତେଣ୍ଡାବାଡ଼ି, ହନୁମନ୍ତ, ଓଳିସାହି, କୁଳୁରୁକୁମ୍ପା, ନଛିପୁର, ମଧ୍ୟଖଣ୍ଡ, ଘୋଳାହାଣ୍ଡି ଓ ଖମାର ସାହି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି କ୍ରମରେ ଘୋଳାହାଣ୍ଡି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟର ଚାଲୁ ରହିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଆଗାମୀ ଦିନରେ 5T ଆଧାରରେ ଏହି ବିଦ୍ୟାଳୟର ରୂପାନ୍ତରଣକୁ ନେଇ ଆଲୋଚନା କରିଥିଲେ। ଶ୍ରୀଯୁକ୍ତ ବିଶ୍ୱାସ କହିଥିଲେ ଯେ, ଏହି ସ୍କୁଲ ରୂପାନ୍ତରିତ ନିମନ୍ତେ ରାଜ୍ୟ ସରକାର ପାଖାପାଖି ୬୦ରୁ ୬୫ଲକ୍ଷ ଟଙ୍କା ଯୋଗାଇ ଦେବେ। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବେହେରା, ସରପଞ୍ଚଙ୍କ ପ୍ରତିନିଧି ବିଜୟ ନାୟକ, ପୂର୍ବତନ ସରପଞ୍ଚ ତଥା ପୁରାତନ ଛାତ୍ର ସଂସଦ ସଭାପତି ପ୍ରଦୀପ କୁମାର ସ୍ୱାଇଁ, ସମାଜସେବୀ ଅନନ୍ତ ନାରାୟଣ ନନ୍ଦଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ଗ୍ରାମର ବହୁ ଶିକ୍ଷାବିତ, ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ଏହି ସ୍କୁଲ ରୂପାନ୍ତରିତ କାର୍ଯ୍ୟକ୍ରମକୁ ସମସ୍ତେ ପ୍ରଶଂସା କରିଥିଲେ।

Related posts