ରଣପୁର ଅଞ୍ଚଳର ବେଆଇନ ଖଣି ଉପରେ ଚଢ଼ଉ, ୧ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ଯନ୍ତ୍ରାଂଶ ଜବତ

ରଣପୁର,(ନୟାଗଡ ଦର୍ପଣ): ରଣପୁର ଅଞ୍ଚଳରେ ବହୁଦିନ ଧରି ବେଆଇନ ଖଣି ମାଫିଆଙ୍କ ଅରାଜକତା ଚାଲୁ ରହିଥିଲା । ଯେଉଁଥିପାଇଁ ଅନେକ ସମୟରେ ସାଧାରଣ ଜନତା ଆନ୍ଦୋଳନର ପନ୍ଥା ଅବଲମ୍ବନ କରୁଥିଲେ । ଆସନ୍ତା ୨ ତାରିଖରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ ଡକାଯାଇଥିବା ବେଳେ ଏହା ପୂର୍ବରୁ ମଧ୍ୟ କମିଟି ପକ୍ଷରୁ ବେଆଇନ ଖଣି ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ଆନ୍ଦୋଳନ କରଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ନୟାଗଡ଼ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ଚାନ୍ଦପୁର ଥାନା ଆଇଆଇସି ରଶ୍ମିରଞ୍ଜନ ଦାଶଙ୍କୁ ଖଣି ମାଫିଆଙ୍କ ଉପରେ କଡା ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ରଣପୁର ଥାନା ଦାୟିତ୍ୱରେ ଥିବା ଚାନ୍ଦପୁର ଆଇଆଇସି ବିଭିନ୍ନ ବେଆଇନ ଖଣି ଉପରେ ଚଢ଼ଉ କରି ୧୬ ଜଣଙ୍କୁ ଗିରଫ କରିବା ସହ ୧ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ଯନ୍ତ୍ରାଂଶ ଜବତ କରିଛନ୍ତି । କୋଇଲିମା ମଉଜାର ଲେଖନପୁର ବୃନ୍ଦାବନପୁର ଆଦି ଅଞ୍ଚଳରେ ଚଢ଼ାଉ କରାଯାଇ ୭ ଗୋଟି ଟ୍ରାକ୍ଟର ସମେତ କମ୍ପ୍ରେସର ଏବଂ ଗୋଟିଏ ମଲ୍ଟି କମ୍ପ୍ରେସରକୁ ସିଜ କରାଯାଇଛି । ଏଥି ସହିତ ୧୬ ଜଣଙ୍କୁ ଗିରଫ କରାଯାଇଛି । ବେଆଇନ ଖଣିରେ ବ୍ୟବହୃତ ୫୭୧ଟି ଡିଟୋନେଟର ଏବଂ ୧୮୭୧ ଟି ବ୍ଲାଷ୍ଟିଂ ସାମଗ୍ରୀ ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କାରୁ ଉଦ୍ଧ୍ୱର୍ ହେବ ବୋଲି ଥାନା ଅଧିକାରୀ ରଶ୍ମିରଞ୍ଜନ ଦାଶ ସୁଚନା ଦେଇଛନ୍ତି । ରଣପୁର ଥାନା କେସ ନଂ-୨୫୯/୨୦୨୧ରେ ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Related posts