ମାଗଣା ସ୍ୱାସ୍ଥ୍ୟ ଶିବିର ପାଇଁ ଚୂଡ଼ାନ୍ତ ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ବିଶାଳ ମାଗଣା ସ୍ୱାସ୍ଥ୍ୟ ଶିବିର ରବିବାର ଅନୁଷ୍ଠିତ ହେବ। ଏଥିପାଇଁ ଆଜି ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସଭାଗୃହରେ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଅରୁଣ ମହାନ୍ତି, ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ମନ୍ତ୍ରୀ ଡ. ସାହୁ ତାଙ୍କ ବକ୍ତବ୍ୟରେ ମାଗଣା ସ୍ୱାସ୍ଥ୍ୟ ଶିବିର ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ସ୍ୱେଚ୍ଛାସେବୀ ମନବୃତ୍ତି ବୃଦ୍ଧି ପାଇଁ କାର୍ଯ୍ୟକ୍ରମର ଆବଶ୍ୟକତା ଥିବା କହିଛନ୍ତି । ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ଶିବିରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ପୈାରପରିଷଦ ଏବଂ ଜିଲ୍ଲା ପ୍ରଶାସନ ସହଯୋଗ ରହିଥିବା ଜଣାଯାଇଛି । ୧୨ଟି ବିଭାଗ ପାଇଁ ୨୧ ଜଣ ଡାକ୍ତର ଶିବିରରେ ଯୋଗ ଦେଉଥିବା ସୂଚନା ମିଳିଛି । ମୁଖ୍ୟତଃ ଆମ୍ରି ହସ୍ପିଟାଲର ୯ଜଣ ଡାକ୍ତର ରୋଗୀ ସେବା ପାଇଁ ଆସୁଥିବା ସୂଚନା ମିଳିଛି । ଭେଷଜ, ସ୍ତ୍ରୀ ଓ ପ୍ରସୂତି, ପାକସ୍ଥଳୀ ଓ ଅନ୍ତନଳୀ, ଅସ୍ଥି, ମାନସିକ, କର୍କଟ, ଚର୍ମ, ଶିଶୁ, ହୃଦ୍‌ରୋଗ, ସ୍ୱାୟୁ, ଅନ୍ତଃଶ୍ରାବ ଓ ମଧୁମେହ, କର୍ଣ୍ଣ-ନାଶା-ଗଳା ଭଳି ବିଭାଗର ଡାକ୍ତର ଯୋଗ ଦେବା ପାଇଁ ସୂଚନା ମିଳିଛି । ଜିଲ୍ଲାର କୋଣ ଅନୁକୋଣରୁ ଆସିବାକୁ ଥିବା ରୋଗୀଙ୍କୁ ସ୍ୱାଗତ କରିବା ସହ କରୋନା ପରୀକ୍ଷା କରାଇବା, ଡାକ୍ତରଙ୍କ ପାଖରେ ପହଞ୍ଚାଇବା ପାଇଁ ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରାଯାଇଛି । ସେହିଭଳି ରୋଗୀଙ୍କୁ ଔଷଧ ଯୋଗାଣ ପାଇଁ ସ୍ୱତନ୍ତ୍ର ସୁବିଧା କରାଯାଇଥିବା ସୂଚନା ମିଳିଛି । ଆୟୋଜିତ ବୈଠକରେ ନୟାଗଡ଼ ସହରର ସମସ୍ତ ବୁଦ୍ଧିଜୀବୀ ଏବଂ ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମନ୍ତ୍ରୀ ଡ଼ଃ. ସାହୁ ସମସ୍ତଙ୍କୁ ନିବେଦନ କରିଛନ୍ତି ।

ଯୋଗ ଦେବେ ୧୨ଟି ବିଭାଗର ୨୧ ଡାକ୍ତର

Related posts