ସ୍ୱତନ୍ତ୍ର ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡିଶା ସ୍ପେଶାଲ ଏଜୁକେଟର ଫେଡରେଶନ ଫର ଦିବ୍ୟାଙ୍ଗ(OSEFD)ସଙ୍ଘ ତରଫରୁ ନୟାଗଡ଼ ଜିଲ୍ଲାର କର୍ମକର୍ତ୍ତା ମାନେ ଆଜି ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। RPWD ଆକ୍ଟ ୨୦୧୬ ଅନୁସାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ସ୍ତରରେ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇବେ। ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ୬ମାସ ମଧ୍ୟରେ ବିଦ୍ୟାଳୟ ସ୍ତରରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାକୁ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ କଡ଼ାକଡ଼ି ଭାବେ ନିର୍ଦେଶ ଦେଇଛନ୍ତି। କିନ୍ତୁ ରାଜ୍ୟ ସରକାର ଏଦିଗରେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉ ନାହାନ୍ତି। ଯାହା ଫଳରେ ରାଜ୍ୟର ହଜାର ହଜାର ସ୍ୱତନ୍ତ୍ର ଶିକ୍ଷକ ଉପଯୁକ୍ତ ତାଲିମ ନେଇ ବେକାର ହୋଇ ଘରେ ବସିଛନ୍ତି। ରାଜ୍ୟର ବିଭିନ୍ନ ଗାଁ ଗହଳିରେ ଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନେ ନିକଟସ୍ଥ ବିଦ୍ୟାଳୟ ଗୁଡ଼ିକରେ ଉପଯୁକ୍ତ ଶିକ୍ଷା ପାଇ ପାରୁନାହାଁନ୍ତି। ଯାହାକୁ ନେଇ ଅଭିଭାବକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାୟମ ରଖିବା ପାଇଁ ରାଜ୍ୟ ସ୍ତରୀୟ ସଙ୍ଘର କାର୍ଯ୍ୟକର୍ତ୍ତାଙ୍କ ପରାମର୍ଶ କ୍ରମେ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେବାପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ସଂଘ ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

Related posts