ଶିଶୁ ସାହିତ୍ୟିକା ପ୍ରଭାସିନୀ ବରାଡଙ୍କ କବିତା ସଂକଳନ ‘ସେନେହର କଳିକା’ ଓ ‘ପିଲେ ତୁମରି ପାଇଁ’ ଉନ୍ମୋଚିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସ୍ଥାନୀୟ ରୋଟାରୀ ଭବନଠାରେ ଆୟୋଜିତ ‘ପୁସ୍ତକ ଉନ୍ମୋଚନ ଉତ୍ସବ’ ରେ ଲେଖିକା ପ୍ରଭାସିନୀ ବରାଡଙ୍କ ଶିଶୁ ଓ କିଶୋର କବିତା ସଂକଳନ ‘ସେନେହର କଳିକା’ ଓ ପିଲେ ତୁମରି ପାଇଁ ଉନ୍ମୋଚିତ ହୋଇଯାଇଛି। ବରିଷ୍ଠ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଡ. ବିଜୟ କୁମାର ଚୌଧୁରୀ, ସମ୍ମାନୀତ ଅତିଥି ଭାବେ ଓଡିଶାର ଅଗ୍ରଣୀ ପ୍ରକାଶନୀ ସଂସ୍ଥା ପକ୍ଷୀଘର ର ସମ୍ପାଦକ ବନୋଜ ତ୍ରିପାଠୀ, ବରିଷ୍ଠ କଥାକାର ଡ. ଅଜୟ କୁମାର ସ୍ବାଇଁ, ଗାଳ୍ପିକ ଶ୍ରୀ ତପନ କୁମାର ମହାପାତ୍ର ଓ ସମୀକ୍ଷକ ଭାବେ ଅଧ୍ଯାପକ ଡ. ଆଶୁତୋଷ ମିଶ୍ର ଓ ବରିଷ୍ଠ କବି ତଥା ଆଇନଜୀବୀ ଚନ୍ଦ୍ର ବିଜୟୀ ମିଶ୍ର ଯୋଗଦେଇଥିଲେ। ସନ୍ତୋଷ କୁମାର ବରାଡଙ୍କ ଆବାହକତ୍ବରେ ଆୟୋଜିତ ଏହି ଉତ୍ସବରେ ବରିଷ୍ଠ ସାହିତ୍ୟିକ ନିର୍ମଳ ଚନ୍ଦ୍ର ଶୂରଦେଓ, ଶେଖ୍ ଅବଦୁଲ୍ ଖାଲିକ୍, ହାଡ଼ିବନ୍ଧୁ ମହାକୁଡ, ଦିନବନ୍ଧୁ ମହାପାତ୍ର, ଉଷାମଣି ମିଶ୍ର, ଗୀତିକଳ୍ପ ହରିଶ ପ୍ରଧାନ ଓ ସମାଜସେବୀ ଦାମୋଦର ସାହୁଙ୍କ ସମେତ ବହୁ କବି ଓ କବୟିତ୍ରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ କବି ଗୋପୀନାଥ ସେଠୀ, ନିରାକାର ସ୍ବାଇଁ ଓ ରଂଜନ ରଶ୍ମି ଜେନା ପରିଚାଳନା କରିଥିବା ବେଳେ ଶ୍ରୀମାନ ଶିବାଶିଷ ବରାଡ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ପ୍ରତିଭା ସୃଜନିକା ଦାଶ, ଆର୍ୟାନ୍ ରାଜ୍ ସେଠୀ, ସିମ୍ରନ୍ ସ୍ନେହାଲ୍ ମହାନ୍ତି ଓ ସ୍ବୟମ୍ ସାଧନା ଶ୍ରୀମତି ବରାଡଙ୍କ ରଚିତ କବିତା ଆବୃତ୍ତି କରି ଥିଲେ। ପୁସ୍ତକ ଦୁଇଟି ନିଶ୍ଚିତ ପାଠକ ଆଦୃତି ଲାଭ କରିବ ବୋଲି ଉପସ୍ଥିତ ସାରସ୍ବତ ସାଧକମାନେ ମତବ୍ୟକ୍ତ କରିଥିଲେ।

Related posts