ଜିଲ୍ଲାରେ ବେଆଇନ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରକୁ ଲଗାମ ନାହିଁ, ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ବର୍ତ୍ତମାନ ଯୁଗରେ କମ୍ପ୍ୟୁଟର ବିନା କାର୍ଯ୍ୟ କରିବା ଅସମ୍ଭବ ହୋଇପଡିଛି। ବୈଷୟିକ ଶିକ୍ଷା ପ୍ରତି ଯୁବତୀ ଯୁବକଙ୍କ ମଧ୍ୟରେ ଏବେ ଆକର୍ଷଣ ବଢୁଥିବା ବେଳେ ଯୁବପିଢ଼ିଙ୍କ ପାଇଁ ଏହି କମ୍ପ୍ୟୁଟର ଶିକ୍ଷାର ଆବଶ୍ୟକତା ରହିଛି। ଏହାର ସୁଯୋଗ ନେଇଛନ୍ତି କିଛି ଜାଲି ଅନୁଷ୍ଠାନ। ଏହି ସଂସ୍ଥା ବିଭିନ୍ନ ସ୍ଥାନରେ ତାଲିମ କେନ୍ଦ୍ର ଖୋଲି ଜାଲ ସାର୍ଟିଫିକେଟ ବାଣ୍ଟୁଛନ୍ତି। ଫଳରେ ଛାତ୍ରୀଛାତ୍ରମାନେ ଠକାମିର ଶିକାର ହେଉଛନ୍ତି। ଚାକିରି ପାଇଁ ଏହି ସାର୍ଟିଫିକେଟକୁ ଦେଖାଇଲେ ତାହା ଜାଲ ବୋଲି କୁହାଯାଉଛି। ଏହି ଠକ ସଂସ୍ଥା ଠାରୁ ଦୂରେଇ ରହିବାକୁ ଆଜି ଓଡ଼ଗାଁ ଓରିକମ୍ କମ୍ପ୍ୟୁଟର ଶିକ୍ଷା ଅନୁଷ୍ଠାନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି। ଆଜିର ଏହି ସମ୍ମିଳନୀରେ ନୟାଗଡ଼ ଜିଲ୍ଲା ସଂଘର ସଭାପତି ଧିରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ବରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ତେବେ କେତେକ ଘରୋଇ ସଂସ୍ଥା ସେବା ବଦଳରେ ଅର୍ଥ ଉପାର୍ଜନ ପାଇଁ ଆକର୍ଷଣୀୟ ବିଜ୍ଞାପନ ମାଧ୍ୟମରେ ଶିକ୍ଷାର୍ଥୀଙ୍କୁ ଭ୍ରମିତ କରୁଥିବା ଦେଖାଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ରାଜସ୍ୱ ପରିଷଦ ପକ୍ଷରୁ ନୟାଗଡ଼ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ପଞ୍ଜୀକରଣ ଅଧିକାରୀମାନଙ୍କୁ ଚିଠି ସଂଖ୍ୟା ୧୯୭୯, ତା-୨୦.୦୫.୨୦୨୧ ରିଖ ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି ଯେ, ଯଦି କୌଣସି ସଂସ୍ଥା ଏନ୍‌ଜିଓ କିମ୍ବା ସୋସାଇଟି ଆଇନ-୧୮୬୦ରେ ନିଜକୁ ପଞ୍ଜୀକୃତ କରାଇ ଡିସିଏ ଓ ପିଜିଡିସିଏ ଭଳି କମ୍ପ୍ୟୁଟର ଶିକ୍ଷା ସମାପ୍ତି ପ୍ରମାଣପତ୍ର ଦେଉଛନ୍ତି, ତେବେ ସେମାନଙ୍କ ବିରୋଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ହେବ ।

କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ଆଖିଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏହି ଠକସଂସ୍ଥା ବିରୋଧରେ ସଂଘ ପକ୍ଷରୁ ଗତ ୧୦ତାରିଖରେ ନୟାଗଡ଼ ଏଡିଏମ୍ଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିପାଇଁ ବିଶ୍ୱବିଦ୍ୟାଳୟ, ଏଆଇସିଟିଇ ସ୍ୱୀକୃତିପ୍ରାପ୍ତ ସଂସ୍ଥା କିମ୍ବା ଏନ୍‌ଆଇଇଏଲ୍‌ଆଇଟି ଓ-ଲେଭେଲ୍ ଦ୍ୱାରା ସ୍ୱୀକୃତ ପ୍ରମାଣପତ୍ର କିମ୍ବା ଓକେସିଏଲ୍ ପ୍ରଦତ୍ତ ଓଏସ୍‌ସିଆଇଟି ପାଠ୍ୟକ୍ରମର ପ୍ରମାଣପତ୍ର ଗ୍ରହଣ କରିବାକୁ ସଂସ୍ଥା ପକ୍ଷରୁ କୁହାଯାଇଛି । ଆଜିର ଏହି ସମ୍ମିଳନୀରେ କମ୍ପ୍ୟୁଟର ସଂଘର ସଂପାଦକ ପ୍ରଫୁଲ କୁମାର ମହାନ୍ତି ଓ ରାଇରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Related posts