ଜିଲ୍ଲା କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଘର ସାଧାରଣ ବୈଠକ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଘର ସଭାପତି ପ୍ରକାଶ କୁମାର ଦାଶଙ୍କ ସଭାପତିତ୍ୱରେ ଏକ ସାଧାରଣ ବୈଠକ ନୟାଗଡ଼ ବ୍ଳକ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସାଧାରଣ ସଂପାଦକ ତୁଷାରକାନ୍ତ ରାଉତ, ରାଜ୍ୟ ସଂଘର ଛଅ ଦଫା ଦାବି ସମ୍ବନ୍ଧରେ ଆଲୋଚନା କରିଥିଲେ । ରାଜ୍ୟ ସରକାର ଯଦି ଏହି ଦାବୀଗୁଡିକ ପୂରଣ କରିବା ଦିଗରେ ଟାଳଟୁଳ ନିତି ଅବଲମ୍ବନ କରନ୍ତି, ତେବେ ରାଜ୍ୟ ସଂଘ ନିଷ୍ପତ୍ତି ଅନୁସାରେ କଳାବ୍ୟାଚ ପରିଧାନ କରି ପ୍ରତିବାଦ କରିବାକୁ ଆହ୍ୱାନ ଦେଇଥିଲେ । ୫୧ ଜଣ ପିଇଓଙ୍କର ଏମଏସିପି ଇତି ମଧ୍ୟରେ ମଞ୍ଜୁର ହୋଇଥିବା ଜିଲ୍ଲା ପ୍ରଶାସନଙ୍କୁ ସଙ୍ଘ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ରାଜ୍ୟ ସଂଘ ଉପସଭାପତି ଗଗନ ବିହାରି ମିଶ୍ର ଜିଲ୍ଲା ସଂଘ ଓ ରାଜ୍ୟ ସଂଘ ମଧ୍ୟରେ ସେତୁ ଭଳି କାମ କରିବା ସହିତ ଜିଲ୍ଲା ସଂଘର ଦାବୀ ଗୁଡ଼ିକୁ ରାଜ୍ୟ ସଂଘରେ ଉପସ୍ଥାପିତ କରିବେ ବୋଲି ପ୍ରକାଶ କରିଥିଲେ । ସତ୍ୟ ନାରାୟଣ ଭୋଇ ରାଜ୍ୟ ସଂଘ ସଭ୍ୟ ଭାବେ ମନୋନୀତ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀଧର ବେହେରା ଉପ-ସଭାପତି, ପଦ୍ମଚରଣ ବିଶ୍ୱାଳ ସହ-ସଭାପତି, କୋଷାଧ୍ୟକ୍ଷ ମନୋଜ କୁମାର ସାହୁ ନିଜ ନିଜର ମତ ରଖିଥିଲେ । ରାଜ୍ୟ ସଂଘକୁ ସଂପୂର୍ଣ୍ଣ ସହଯୋଗ କରିବା ନିମନ୍ତେ ବୈଠକର ସଭାପତି ଶ୍ରୀ ପ୍ରକାଶ କୁମାର ଦାଶ ଘୋଷଣା କରିଥିଲେ । ପରିଶେଷରେ ତୁଷାରକାନ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Related posts