ଭୟରେ ଗାଁ ଲୋକ ଛୁଇଁଲେନି ଶବ, ଅନନ୍ୟା ଫାଉଣ୍ଡେସନ ସଦସ୍ୟ କଲେ ଶବଦାହ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଳକ ନୋତ୍ତର ପଞ୍ଚାୟତ ଅନ୍ତର୍ଗତ ନୋତ୍ତର ଗ୍ରାମର ବକ୍ସି ନାୟକ (୭୭) ନାମକ ଜନୈକ ବ୍ୟକ୍ତି ଗତ କିଛି ଦିନ ହେବ ମାଛିଆ ପାତକ ସହ ଅନ୍ୟ କେତେକ ରୋଗରେ ପୀଡ଼ିତ ଥିଲେ। କିନ୍ତୁ ଶୁକ୍ରବାର ରାତିରେ ଦେହତ୍ୟାଗ କରିଥିବା ବେଳେ ବକ୍ସି ନାୟକଙ୍କ ପୁଅ ଓ ନାତି ଶବଦାହ ପାଇଁ ପଡୋଶୀ ଓ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ରୋଗ ବ୍ୟାପି ଯିବା ଭୟରେ ଗ୍ରାମର କୌଣସି ବ୍ୟକ୍ତି ଶବଦାହରେ ସାମିଲ ହୋଇ ନଥିଲେ। ସୂଚନାନୁସାରେ, ନୋତ୍ତର ଗ୍ରାମର ବିଭିନ୍ନ ଦେବାଳୟ ପୂଜା କରୁଥିବା ପାଖ ଗମ୍ଭାରୀଡ଼ିହି ଗ୍ରାମର ଜଣେ ବ୍ରାହ୍ମଣ କିଛି ଦିନ ଆଗରୁ ଗ୍ରାମବାସୀଙ୍କୁ କହିଥିଲେ କି ଯେ, ବକ୍ସି ନାୟକ ଯେଉଁ ବ୍ୟାଧିରେ ପୀଡ଼ିତ ତାଙ୍କୁ ଯଦି କେହି ଛୁଇଁବ କିମ୍ବା ଶବଦାହ କରିବ ତେବେ ସେହି ବ୍ୟକ୍ତି ସେ ରୋଗରେ ପୀଡ଼ିତ ହେବ। ଏଣୁ ଏହି ଅନ୍ଧବିଶ୍ୱାସର ଶିକାର ହୋଇ କୌଣସି ଗ୍ରାମବାସୀ ବକ୍ସିଙ୍କ ଶବଦାହ କରିବାକୁ ଗଲେ ନାହିଁ । ବକ୍ସି ନାୟକଙ୍କ ପୁଅ ଓ ନାତି ବର୍ଷା ଅନ୍ଧାର ରାତିରେ ଦୁଆର ଦୁଆର ବୁଲି ନେହୁରା ହୋଇଥିଲେ ମଧ୍ୟ ଏହି କଥାକୁ କେହି କର୍ଣ୍ଣପାତ କରି ନଥିଲେ। ଲାଗୁଥିଲା ସତେ ଯେମିତି ଅନ୍ଧ ବିଶ୍ୱାସ ଆଗରେ ମଣିଷ ପଣିଆ ବଳି ପଡ଼ିଯାଇଛି। ଶେଷରେ ବକ୍ସି ନାୟକଙ୍କ ନାତି ଅନନ୍ୟା ଫାଉଣ୍ଡେସନକୁ ଯୋଗାଯୋଗ କରିଥିଲେ। ଅନନ୍ୟା ଫାଉଣ୍ଡେସନର ସଦସ୍ୟମାନେ ପାହାନ୍ତିଆ ଚାରିଟା ବେଳକୁ ପହଞ୍ଚି ବକ୍ସିଙ୍କ ପୁଅ ଓ ନାତିର ସହଯୋଗରେ ଶବକୁ ଗ୍ରାମ ମୁଣ୍ଡ ଶ୍ମଶାନ ନିକଟକୁ ଆଣି ଯଥାବିଧି ଅନୁସାରେ ଶବଦାହ କରିଥିଲେ। ପୂର୍ବରୁ ନୟାଗଡ଼ ଜିଲ୍ଲା ଘଡୁଆଳ ଅଞ୍ଚଳର କରୋନାରେ ମୃତ୍ୟୁ ବରଣ କରିଥିବା ଜଣେ ମହିଳାଙ୍କ ଶେଷକୃତ୍ୟ ସମ୍ପାଦନ କରି ଚର୍ଚ୍ଚାରେ ଥିଲା ଅନନ୍ୟା ଫାଉଣ୍ଡେସନ୍। ଆଜି ପୁଣି ଏକ ମହାନ୍ କାମ କରି ବୁଦ୍ଧିଜୀବୀଙ୍କ ମହଲରେ ପ୍ରଶଂସା ସାଉଁଟିଛନ୍ତି ଅନନ୍ୟା ଫାଉଣ୍ଡେସନର ସଦସ୍ୟମାନେ। ଲୋକଙ୍କ ମନରୁ ଏଭଳି ମାନସିକତା ଦୂର କରିବା ପାଇଁ ଅନନ୍ୟା ଫାଉଣ୍ଡେସନ ତରଫରୁ ବିଭିନ୍ନ ସଚେତନତାମୂଳକ କାର୍ୟ୍ୟକ୍ରମ ଗ୍ରହଣ କରାଯିବା ସହିତ ଆଜିର ଶବଦାହ କାର୍ୟ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିବା ଅନନ୍ୟା ଫାଉଣ୍ଡେସନର ସଦସ୍ୟ ସନ୍ତୋଷ କୁମାର ପ୍ରଧାନ ଓ ନୀଳମଣି ସ୍ୱାଇଁଙ୍କୁ ଅନନ୍ୟା ଫାଉଣ୍ଡେସନ ତରଫରୁ ଶୁଭେଚ୍ଛା ଓ ଧନ୍ୟବାଦ ଅର୍ପଣ କରାଯାଇଛି।

Related posts