ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସମସ୍ତ ସବ-ସେଣ୍ଟର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଚଳିତ ମାସ ୧୫ ତାରିଖରୁ ସ୍ୱତନ୍ତ୍ର ଟୀକାକରଣ ଅଭିଯାନ ଅନୁଷ୍ଠିତ ହେବ । ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ବିଭିନ୍ନ ପ୍ରକାର ଟୀକା ଦିଆଯିବ । ମହାମାରୀ କୋଭିଡ ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଶିଶୁମାନଙ୍କ ନିମନ୍ତେ ନିୟମିତ ଟୀକାଦାନକୁ ଗୁରୁତ୍ୱ ଦିଆଯାଇଛି । ଏହାଦ୍ୱାରା ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ କୌଣସି ଶିଶୁ ଟୀକାକରଣରୁ ବଞ୍ଚିତ ହେବେନାହିଁ । ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ଥିବା ଶିଶୁଙ୍କ ପରିବାରକୁ ଏ ସମ୍ପର୍କରେ ସଚେତନ କରାଇବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ମାଇକରେ ପ୍ରଚାର, ପୋଷ୍ଟର, ଲିଫଲେଟ ଓ ଆଲୋଚନାଚକ୍ର ମାଧ୍ୟମରେ ସଚେତନ କରାଯିବ । ଜିଲ୍ଲାର ୦-୫ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଶିଶୁ ଟିକାକରଣର ବିଭିନ୍ନ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ହେବା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ସ୍ୱତନ୍ତ୍ର ଓ ସମ୍ପୂର୍ଣ୍ଣ ଟୀକାକରଣ କାର୍ଯ୍ୟକ୍ରମର ସଫଳତା ନିମନ୍ତେ ଆଜି ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶକ୍ତି ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରଶିକ୍ଷଣ କେନ୍ଦ୍ର ଠାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଡାକ୍ତର ମିଶ୍ର କହିଥିଲେ ଯେ, ସ୍ୱତନ୍ତ୍ର ଟୀକାଦାନ କାର୍ଯ୍ୟକ୍ରମ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇରହିଛି। କିନ୍ତୁ ଆକ୍ସନ ପ୍ଲାନକୁ କାର୍ଯ୍ୟକାରୀ କରିବା ପାଇଁ ଗଣମାଧ୍ୟମ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କର ସହଯୋଗ ଅପରିହାର୍ଯ୍ୟ ଅଟେ। ବ୍ଳକ ସ୍ତରରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଆକ୍ସନ ପ୍ଲାନକୁ ସଫଳ ଭାବେ ସମ୍ପାଦନ କରିବାକୁ ସେ ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିବାର କଲ୍ୟାଣ ଦାୟିତ୍ୱରେ ଥିବା ଡାକ୍ତର ସୁଭାଷ ଚନ୍ଦ୍ର ନାୟକ, ବ୍ଳକ ସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀଗଣ, ସମସ୍ତ ବିଡ଼ିଓ, ଗଣମାଧ୍ୟମର ପ୍ରତିନିଧିମାନେ ଓ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଶ୍ରୀମତୀ ସ୍ମୃତିଲତା ବିଶ୍ୱାଳ।
ନୟାଗଡ଼ ଜିଲ୍ଲାରେ ନଭେମ୍ବର ୧୫ରୁ ସ୍ୱତନ୍ତ୍ର ଟୀକାକରଣ ଅଭିଯାନ
