ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରଦେଶ କଂଗ୍ରେସ ପ୍ରସ୍ତାବିତ ଓଡିଶା ବନ୍ଦ ପରିପ୍ରେକ୍ଷୀରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ରୁଲିଂକୁ ଜିଲ୍ଲା କଂଗ୍ରେସ ସ୍ୱାଗତ କରିବା ସହ ଶାନ୍ତିପୂର୍ଣ୍ଣ ଭାବେ ହରତାଳ କରାଯାଇ ନୟାଗଡ ବସଷ୍ଟପରେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଏକ ବିକ୍ଷୋଭ ସଭାର ଆୟୋଜନ କରାଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ ଦାବିରେ କଂଗ୍ରେସ କର୍ମୀ ମାନେ ହରତାଳରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ବାବୁ ତାଙ୍କ ମନ୍ତ୍ରୀମଣ୍ଡଳର ଦାଗୀ ମନ୍ତ୍ରୀମାନଙ୍କୁ ବହିଷ୍କାର କରିବା ପାଇଁ ସାହସ ଜୁଟାଇ ପାରୁ ନାହାଁନ୍ତି। ମମିତା ମେହେର ହତ୍ୟାକାଣ୍ଡରେ ସଂଶ୍ଲିଷ୍ଟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ କରିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତକରି ସେହି ମଞ୍ଚରେ ହତ୍ୟାକାରୀ ମନ୍ତ୍ରୀଙ୍କୁ ମଞ୍ଚରେ ବସାଇ ଜନସାଧାରଣଙ୍କ ଭାବାବେଗକୁ କୁଠାରଘାତ ଗଣତନ୍ତ୍ର ଲାଗି କ୍ରୁର ଉପହାସ କରିଛନ୍ତି ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି। ଆଜିର ଏହି ହରତାଳ କାର୍ଯ୍ୟକ୍ରମରେ ପିସିସି ସମ୍ପାଦକ ହୁସେନ ଖାଁ, ଜିଲ୍ଲା କଂଗ୍ରେସ ଉପ ସଭାପତି କମଳ ଚରଣ ସାହୁ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରତିମା ଜେନା, ନୟାଗଡ ବ୍ଲକ କଂଗ୍ରେସ ସଭାପତି ଫକୀର ଚରଣ ମଲ୍ଲ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରତୀକ ମହାପାତ୍ର, ଡିସିସି ହରିଜନ ସେଲ ସଭାପତି ଭଗବାନ ମଲ୍ଲିକ, କଂଗ୍ରେସ ନେତା କବିରାଜ ବରାଡ଼, ବିଜୟ ରାଉତ, ବାସୁଦେବ ଲେଙ୍କା, ଭାଗିରଥି ସ୍ୱାଇଁ, ଗୋପାଳ ମହାପାତ୍ର,ଆଜାଦ, ଜିତେନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ସମେତ ଦଳୀୟ କର୍ମୀମାନେ ଯୋଗଦେଇଥିଲେ। ପୋଲିସ ପକ୍ଷରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ କଦର୍ଥ କରି ଶାସକ ଦଳର ଏଜେଣ୍ଟ ଭାବେ କାର୍ଯ୍ୟକରି ଡକାଵାଜି ଯନ୍ତ୍ର ବୁଲାଇ ଦୋକାନବଜାର ଖୋଲା ରଖିବା ଗାଡି ମଟର ଚଳାଇବା ପାଇଁ ପ୍ରଚାରକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ନିନ୍ଦା କରାଯାଇଛି। ପୋଲିସର ପ୍ରଚାର ସତ୍ୱେ କାଁଭାଁ ଜଣସମାଗମ ସହ ଦେଖାଯାଇଥିଲା। ଯାତ୍ରୀବାହି ବସରେ ଲୋକେ ଯାତାୟାତ କରୁନଥିଲେ।
ନୟାଗଡରେ କଂଗ୍ରେସର ୬ଘଣ୍ଟିଆ ବନ୍ଦ ପାଳନ
